କନକ ବ୍ୟୁରୋ: ରାଜଧାନୀରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବଢୁଛି ଟ୍ରାଫିକ୍ କଟକଣା । ଘଣ୍ଟା ଘଣ୍ଟା ଧରି ବନ୍ଦ ରହୁଛି ସହରର ପ୍ରମୁଖ ରାସ୍ତା । ହନ୍ତ ସନ୍ତ ହେଉଛନ୍ତି ସାଧାରଣ ଲୋକ । ଭିଆଇପିଙ୍କ ସୁରକ୍ଷା ପାଇଁ ଖରା ବର୍ଷାରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ, ନେତା ମନ୍ତ୍ରୀଙ୍କ ପାଇଁ ଆମେ କାହିଁକି କଷ୍ଟ ପାଇବୁ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି ।
ରାଜଧାନୀରେ ବିଭିନ୍ନ ସମୟରେ ନେତା ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରାସ୍ତା ଗୁଡ଼ିକୁ ସିଲ୍ କରୁଛି ପୁଲିସ । ଘଣ୍ଟା ଘଣ୍ଟା ଧରି ସହରର ପ୍ରମୁଖ ରାସ୍ତା ସିଲ୍ ହେବାରୁ ହନ୍ତସନ୍ତ ଜନତା । ବଳଙ୍ଗା ନାବାଳିକାଙ୍କୁ ଦୁର୍ବୃତ୍ତ ନିଆଁ ଲଗାଇବା ଘଟଣାରେ ରାଜ୍ୟ ରାଜନୀତି ସରଗରମ ହେଇଥିଲା। ଛାତ୍ର ଓ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ଉପମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ପ୍ରତିବାଦ କରିଥିଲା। ବ୍ୟାରିକେଡ଼ ଠେଲି ମହିଳା କଂଗ୍ରେସ କର୍ମୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଥିଲେ। ଫଳରେ ଉପ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସୁରକ୍ଷା ବଳୟରେ ରଖାଯାଇଥିଲା। କିନ୍ତୁ ହଠାତ୍ ପୁଲିସର ଏପରି ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସାଧାରଣ ଜନତା ହଟହଟା ହୋଇଥିଲେ। ଏଣେ ତେଣେ ବୁଲି ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଏଜି ଛକରୁ ରାଜ ଭବନ ରାସ୍ତାକୁ ସିଲ୍ କରାଯାଇଥିଲା ।
ଘଣ୍ଟା ଘଣ୍ଟା ଧରି ଲୋକ ରାସ୍ତାରେ ଫଶିକି ରହୁଛନ୍ତି। ଏଠି ପ୍ରଶ୍ନ ଉଠୁଛି ନେତା, ମନ୍ତ୍ରୀଙ୍କ ପାଇଁ କାହିଁକି ହନ୍ତସନ୍ତ ହେବେ ସାଧାରଣ ଲୋକ? ସହରର ଦୁର୍ବଳ ଭିତ୍ତିଭୂମି ଏହାର କାରଣ କି? ସହରରେ ଜନସଂଖ୍ୟା ବଢୁଛି କିନ୍ତୁ ଓଭର ବ୍ରିଜ ଓ ମେଟ୍ରୋର ଅଭାବରୁ ଏପରି ସମସ୍ୟା ଉପଜୁଛି। ଭିଆଇପିଙ୍କ ସୁରକ୍ଷା ପାଇଁ ଖରା ବର୍ଷା ରେ ସାଧାରଣ ଲୋକ ହନ୍ତ ସନ୍ତ ହେଉଥିବା ବେଳେ, ନେତା ମନ୍ତ୍ରୀଙ୍କ ପାଇଁ ଆମେ କାହିଁକି କଷ୍ଟ ପାଇବୁ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି।
ଟ୍ରାଫିକ ସମସ୍ୟାରେ ଲୋକ ପ୍ରତ୍ୟେକ ଦିନ ହନ୍ତସନ୍ତ ହେଉଛନ୍ତି । ଏବେ ଦେଖିବା କଥା ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗକୁ ସଠିକ୍ ଟ୍ରାଫିକ ପରିଚାଳନା ପାଇଁ କଣ ପଦକ୍ଷେପ ନିଆଯାଉଛି ।