କନକ ବ୍ୟୁରୋ : ପୀତବାସଙ୍କ ଜୈବିକ ଚାଷ । ପନିପରିବା ସହ ଫୁଲ ଚାଷରେ ହସୁଛି କ୍ଷେତ । ପ୍ରତିଦିନ ତାଙ୍କ ଜମିରୁ କ୍ବିଂଟାଲ କ୍ବିଂଟାଲ ଗେଣ୍ଡୁ ଫୁଲ ତୋଳା ହେଉଛି । ସ୍ଥାନୀୟ ବଜାର ଓ ବ୍ୟବସାୟୀଙ୍କୁ ଫୁଲ ବିକ୍ରି କରି ଲାଭବାନ ହେଉଛନ୍ତି ରାୟଗଡ଼ା ଗୁଣପୁର ବ୍ଲକ ଭାଲେରୀ କୁଡ଼ିଆ ଗାଁର ଚାଷୀ ପୀତବାସ ଶବର। ପାର୍ବଣ ଋତୁରେ ଫୁଲ ଚାଷରୁ ସେ ଭଲ ରୋଜଗାର କରିବା ନେଇ ଆଶା ରଖିଛନ୍ତି । ପୂର୍ବରୁ ଚାଷୀ ଜଣକ ଧାନ ଓ କପା ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଏଥିପାଇଁ ଚାଷରେ ତାଙ୍କୁ ପ୍ରଚୁର ପରିମାଣର ରାସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର କରି ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା । ତେଣୁ କିଭଳି କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହେବେ ସେଥିପାଇଁ ସେ ଜୈବିକ ପ୍ରଣାଳୀରେ ଚାଷ ଆପଣାଇଲେ । ଗାଈ ଗୋବର, ଗୋ-ମୂତ୍ର, ନିମ, କରଞ୍ଜ, ଅରଖ ପତ୍ର, ଗୁଡ଼ ଓ ବେସନ ବ୍ୟବହାର କରି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି । ଯାହାକୁ ଜମିରେ ପ୍ରୟୋଗ କରି ସେ ଲାଭବାନ ହେଉଛନ୍ତି ।

Advertisment

 ଧାନ ଅପେକ୍ଷା ଫୁଲ ଚାଷରୁ ତାଙ୍କୁ ଭଲ ଲାଭ ମିଳୁଛି । ସେ ଦେଢ଼ ଏକର ଜମିରେ ଫୁଲ ଚାଷ କରିଛନ୍ତି । ଯାହାଦ୍ବାରା ତାଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିଛି । ଏକର ପିଛା ୪୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଗେଣ୍ଡୁ ଫୁଲ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି । ଖାଲି ଫୁଲ ଚାଷ ନୁହେଁ ସବୁଜ ପନିପରିବାରେ ତାଙ୍କ କ୍ଷେତ ଭର୍ତ୍ତି ହୋଇଛି । ପୋଟଳ, ଅମୃତଭଣ୍ଡା ଚାଷ କରି ସେ ବଜାରରେ ବିକ୍ରି କରୁଛନ୍ତି । ଅନ୍ୟପଟେ ତାଙ୍କର ଏଭଳି ଉଦ୍ୟମ ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ମଧ୍ୟ ସହଯୋଗ ମିଳିଛି । 
 ପୀତବାସଙ୍କ ଚାଷ ପ୍ରଣାଳୀ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି ।