କନକ ବ୍ୟୁରୋ: ରାସ୍ତାଘାଟରେ କି ଦୋକାନ ପଛରେ ଏବେ ୟୁରିନ କରିପାରିବେ ନାହିଁ ଅର୍ଥାତ୍ ମୁତ୍ର ତ୍ୟାଗ କରିପାରିବେ ନାହିଁ । କାରଣ ଏମିତି କଲେ ନଗରପାଳିକା ପକ୍ଷରୁ ଜୋରିମାନା ଆଦାୟ କରାଯିବ । ଧରି ନିଅନ୍ତୁ ଆପଣ ଗୋଟିଏ ସ୍ଥାନରେ ଦୋକାନ କରିଛନ୍ତି, ପାଖରେ ଥିବା ଖାଲି ସ୍ଥାନକୁ ଟଏଲେଟ୍ କରିବା ଲାଗି ବ୍ୟବହାର କରୁଛନ୍ତି । ହେଲେ ଏବେ ଯଦି ଆପଣ ସେମିତି କରିବେ ତାହାଲେ ଫାଇନ୍ କଟିଯିବ । ତେଣୁ ଦୋକାନୀମାନଙ୍କୁ ପୌର ପ୍ରଶାସନ ପକ୍ଷରୁ ପାସ୍ ଦିଆଯିବା ସହିତ ମାସିକ ୧୫୦ ଟଙ୍କା ଦେୟ ଦେବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଜୋରଦାର ବିରୋଧ ହେବା ସହିତ ପୌର ପ୍ରଶାସନର ଏମିତି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା ବି କରାଯାଉଛି । ଅବଶ୍ୟ ଓଡ଼ିଶାରେ ଏମିତି ନିୟମ ଲାଗୁ ହୋଇନି କିନ୍ତୁ ଦେଶର ପ୍ରଥମ ରାଜ୍ୟ ହିମାଚଳ ପ୍ରଦେଶରେ ଏମିତି ନିୟମ ଲାଗୁ ହେବାକୁ ଯାଉଛି । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ।
ପୂର୍ବରୁ ମହିଳା ଦେଉଥିଲେ ଟଏଲେଟ୍ ଫି
ଏବେ ପୁରୁଷ ବି ଦେବେ ଟଏଲେଟ୍ ଫି
ସହରକୁ ସ୍ବଚ୍ଛ ଓ ପରିଷ୍କାର କରିବା ଲାଗି ହିମାଚଳ ପ୍ରଦେଶ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛି । ଠିକ୍ ସେହି ଭିତିରେ ଏବେ ରାସ୍ତାଘାଟରେ ପରିସ୍ରା ବନ୍ଦ କରି ସହରକୁ ଆହୁରି ସୁନ୍ଦର କରି ଘଢି ତୋଳିବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ଟଏଲେଟ୍ ଲାଗି ରାଜ୍ୟ ସରକାର ମହିଳାଙ୍କ ପିଛା ୫ ଟଙ୍କା ନେଉଥିଲେ ହେଲେ ପୁରୁଷଙ୍କର ଫ୍ରି ଥିଲା । ଏବେ କିନ୍ତୁ ସହରରେ ଆହୁରି ୩୦ ଟଏଲେଟ୍ କରିବା ସହିତ ପରିସ୍ରା ବାବଦରେ ପୁରୁଷଙ୍କୁ ବି ୫ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେପଟେ ଦୋକାନୀଙ୍କ ଲାଗି ପାସର ବ୍ୟବସ୍ଥା ବି କରାଯାଉଛି । ଯାହା ଲାଗି ମାସିକ ୧୦୦ରୁ ୧୫୦ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଛି ।
କଣ କହିଲେ ହାଇକୋର୍ଟ ?
ହିମାଚଳ ପ୍ରଦେଶରେ ଟଏଲେଟ୍ ପାଇଁ କେବଳ ମହିଳାଙ୍କଠାରୁ ୫ ଟଙ୍କା ଲେଖାଏଁ ନିଆଯାଉଥିଲା, ହେଲେ ପୁରୁଷଙ୍କ ଲାଗି କୌଣସି ଦେୟ ଦେବାକୁ ପଡ଼ୁନଥିଲା । ଯାହାକୁ ନେଇ ହାଇକୋର୍ଟରେ ପହଞ୍ଚିଥିଲା ମାମଲା । ମାମଲାର ଶୁଣାଣି କରି କୋର୍ଟ ନଗର ନିଗମକୁ କୈଫତ ମାଗିବା ସହିତ କେବଳ ମହିଳାଙ୍କଠାରୁ କାହିଁକି ଟଙ୍କା ଆଦାୟ କରାଯିବ ବୋଲି ପ୍ରଶ୍ନ କରିଥିଲେ । ଶେଷରେ କୋର୍ଟଙ୍କ ରାୟ ପରେ ଏବେ ଉଭୟ ଟଏଲେଟ୍ ଲାଗି ଟଙ୍କା ଦେବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।
ଦୋଷ ସ୍ବୀକାର କଲେ ମେୟର
ଟଏଲେଟ୍ ବାବଦରେ ରାଜ୍ୟରେ ଆଦାୟ ହେଉଥିବା ଅର୍ଥକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁରେନ୍ଦ୍ର ଚୌହ୍ବାନ । କହିଛନ୍ତି, ସହରରେ ଅନେକ ଟଏଲେଟ୍ ତିଆରି କରାଯାଇଥିଲା ମହିଳାଙ୍କ ଲାଗି, ତେଣୁ ଅର୍ଥ ଆଦାୟ ହେଉଥିଲା । ଏବେ ସହରରେ ପ୍ରାଥମିକ ଭିତ୍ତିରେ ଆଉ ୩୦ ଟଏଲେଟ୍ ନିର୍ମାଣ ହେବ । ପୁରୁଷମାନେ ଟଏଲେଟ୍ ବାବଦରେ ବି ଟଙ୍କା ଦେବେ । ତେବେ ଦୋକାନୀଙ୍କ ଲାଗି ସ୍ବତନ୍ତ୍ର ପାସ ହେବ ।
ମୋଟ୍ ଉପରେ ଟଏଲେଟ୍ ବାବଦରେ ଟଙ୍କା ଦେବାକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ହେବା ସହିତ ଏହାକୁ କାର୍ଯ୍ୟକାରୀ କରାଗଲେ ଜନସାଧାରଣ ଅଧିକ ଖର୍ଚ୍ଚାନ୍ତ ହେବେ ବୋଲି ଲୋକେ କହୁଛନ୍ତି । ତେବେ ଏମିତି ନିୟମ ପୁରା ଦେଶର ସବୁ ରାଜ୍ୟରେ ଲାଗୁ ହେଲେ ଭଲ ହେବ ବୋଲି ଅନେକ କହୁଛନ୍ତି ।