କନକ ବ୍ୟୁରୋ : ଶାନ୍ତିପ୍ରିୟ ଅନୁଗୁଳ ଏବେ ଅଶାନ୍ତ। ବିଗିଡ଼ିଗଲାଣି ଆଇନ ଶୃଙ୍ଖଳା। ଗଳି କନ୍ଦିରେ ମିଳୁଛି ଡ୍ରଗସ୍। କଥା କଥାରେ ବୁଲୁଛି ଖଣ୍ଡା, ଫୁଟୁଛି ଗୁଳି । ବାହାର ଜିଲ୍ଲାରୁ ଆସି ସହର ଭିତରେ ଡକାୟତି ଯୋଜନା କରୁଛନ୍ତି ଦୁର୍ବୃତ୍ତ । ପ୍ରତି ସପ୍ତାହରେ ଜବତ ହେଉଛି ପୁଳା ପୁଳା ବ୍ରାଉନ ସୁଗାର୍, ହେରୋଇନ୍। ତଥାପି ଅପରାଧରେ ଲାଗୁନି ରୋକ। 

Advertisment


ଅକ୍ଟୋବର ୨ ତାରିଖରେ ଆମ୍ବୁଲାନ୍ସ ଭଡ଼ାକୁ ନେଇ କଥା କଟାକଟି ହୋଇଥିଲା ଏହାପରେ ଗଣ୍ଡଗୋଳ ଆଉ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ଦୁଇ ପକ୍ଷ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଭୁଜାଲି ମାଡ଼ରେ ଆହତ ହେଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। 

ଅଧିକ ପଢ଼ନ୍ତୁ :  ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ମାନ : ରାଜ୍ୟର ବିଷାକ୍ତ ସହର ତାଲିକାର ଶୀର୍ଷରେ ଅନୁଗୁଳ


ସେହିଭଳି ନଭେମ୍ବର ୨୫ ତାରିଖରେ ଡକାୟତି ପାଇଁ ଯୋଜନା କରୁଥିବା ୩ ଡକାୟତକୁ ବାନ୍ଧିଲା ଅନୁଗୁଳ ପୁଲିସ। ଖୋର୍ଦ୍ଧା ଓ ବୋଲଗଡ଼ ଅଞ୍ଚଳର ୫ ଜଣ ଡକାୟତ ତୁରଙ୍ଗ ପଡ଼ିଆରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କରିଥିଲା ଅନୁଗୁଳ ଥାନା ପୁଲିସ । ସେମାନଙ୍କ ଠାରୁ ପୁଲିସ ଗୋଟିଏ ପିସ୍ତଲ, ଖଣ୍ଡା, ୩୨ ଗ୍ରାମ ବ୍ରାଉନସୁଗାର, କାର, ବାଇକ୍‌ ସହ ୪ଟି ମୋବାଇଲ ଓ ମଦ ବୋତଲ ଜବତ କରିଥିଲା। 
କେବଳ ସେତିକି ନୁହେଁ ଡିସେମ୍ବର ୧୦ ତାରିଖରେ ଅନୁଗୁଳ ଶିକ୍ଷକପଡ଼ା ଇକୋ ପାର୍କ ସାମ୍ନାରେ ରାସ୍ତାକୁ ବସ୍ ଧୁଆ ପାଣି ବହିଯିବାରୁ ହଙ୍ଗାମା ହୋଇଥିଲା । ବସ ହେଲ୍ପରଙ୍କ ସହ ଝଗଡ଼ା କରିଥିଲେ ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଯୁବକ। ବସକୁ ଲିଜରେ ନେଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ବନ୍ଧୁ ଏଥିରେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତମାନେ ଉତକ୍ଷିପ୍ତ ହୋଇ ଅନ୍ୟସହଯୋଗୀଙ୍କୁ ଡାକି ଲୁହା ରଡ଼ ସାହାଯ୍ୟରେ ବସ କାଚ ଭାଙ୍ଗିବା ସହ ବସ ଲିଜଧାରୀଙ୍କୁ ମାଡ଼ ମାରି ଆହତ କରିଥିଲେ। ତାଙ୍କ ବନ୍ଧୁଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଚମ୍ପଟ ମାରିଥିଲେ। ଏ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୁଳ ପୁଲିସ। 

ଅଧିକ ପଢ଼ନ୍ତୁ :  ଅଭିଶପ୍ତ ପାଲଟିଛି ରାସ୍ତା । ଅନୁଗୁଳ କଣିହାଁ ବ୍ଲକ ଘଣିଆନାଳୀ ଗାଁକୁ ସଂଯୋଗ କରୁଥିବା ରାସ୍ତା ସାରା ଖାଲଖମାର, ଧାରଣା ପରେ ବି ହେଉନି ସମାଧାନ

 ଏନେଇ ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା, ଶିଳ୍ପାୟନ ଯୋଗୁଁ କାମ ଉଦ୍ଦେଶ୍ୟରେ ବାହାର ରାଜ୍ୟରୁ ବହୁ ଲୋକ ଆସୁଛନ୍ତି। ସେମାନଙ୍କ ସହ ବହୁ ଅପରାଧୀ ମଧ୍ୟ ଅନୁଗୁଳକୁ ଆସୁଛନ୍ତି। ଯାହା ଜିଲ୍ଲାରେ ଅପରାଧ ବୃଦ୍ଧିର ବଡ଼ କାରଣ। ଜିଲ୍ଲାରେ ଅପରାଧ ରୋକିବାକୁ ହେଲେ ପୁଲିସକୁ ସତର୍କତାର ସହ ଅପରାଧର ମୂଳରେ ପହଞ୍ଚିବାକୁ ପଡ଼ିବ। 

ସେହିପରି ଆଇନଜୀବୀଙ୍କ ମତରେ ଡ୍ରଗ୍‌ସ କାରବାର ଜିଲ୍ଲାରେ ଅପରାଧ ପ୍ରବଣତାକୁ ବଢ଼ାଇଛି! ବ୍ରାଉନ ସୁଗରର ବଶବର୍ତ୍ତୀ ହୋଇ ମୁଖ୍ୟତଃ ଯୁବବର୍ଗ ଅପରାଧୀ ପାଲଟିଯାଉଛନ୍ତି। ଡ୍ରଗ୍‌ସକୁ ରୋକାଯାଇ ପାରିଲେ ଜିଲ୍ଲାରେ କେତେକାଂଶରେ ଅପରାଧ ରୋକାଯାଇ ପାରିବ। ଏଥିପାଇଁ ପୁଲିସ ଓ ଅବକାରୀ ବିଭାଗ ମିଳିତ ରଣନୀତି ପ୍ରସ୍ତୁତ କରିବା ଉଚିତ୍ ।