କନକ ବ୍ୟୁରୋ: ସୀମାରେ ଫେରିଲା ଶାନ୍ତି । ଜମ୍ମୁ-କାଶ୍ମୀର, ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳରେ ଶୁଭିନି ଗୁଳିଗୋଳା ଶବ୍ଦ । ଗତକାଲି ବିଳମ୍ବିତ ରାତିରୁ ଶାନ୍ତିର ବାତାବରଣ ରହିଥିବା ନେଇ ସୂଚନା ମିଳିଛି । ଜମ୍ମୁ, ପୁଞ୍ଛ, ରଜୌରୀ, ଶ୍ରୀନଗର, ପଠାନକୋଟ, ଫିରୋଜପୁର ଆଦି ସ୍ଥାନରେ ସ୍ବାଭାବିକ ସ୍ଥିତି ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ କୌଣସି ଡ୍ରୋନ୍‌ ଆକ୍ରମଣ ହୋଇନି । ସାରା ରାତି ବ୍ଲାକ୍‌ଆଉଟ୍ ପରେ ଅମୃତସର ଓ ପଠାନକୋଟରେ ଭୋରରୁ ସରିଲା ବ୍ଲାକ୍‌ଆଉଟ୍ । ତଥାପି ସୀମାବର୍ତ୍ତୀ ଅଞ୍ଚଳକୁ ଆଲର୍ଟରେ ରଖାଯାଇଛି ।

Advertisment

ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲା  । ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବା ସୂଚନା ଦେଇଥିଲା ବୈଦେଶିକ ମନ୍ତ୍ରଣାଳୟ । ଯୁଦ୍ଧ ବିରାମ ନେଇ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ଏନେଇ ପ୍ରଥମେ ଫୋନ କରିଥିଲେ ପାକିସ୍ତାନ ଡିଜିଏମ୍‌ଓ । ଅସ୍ତ୍ରବିରତି ନେଇ ଆଲୋଚନା ହୋଇଥିଲା । ବୈଦେଶିକ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ମେ' ୧୨ରେ ଅର୍ଥାତ ଆସନ୍ତାକାଲି ହେବ ପରବର୍ତ୍ତୀ ଆଲୋଚନା । ଏହି ଦିନ ଦୁଇ ଦେଶର ଡିଜିଏମଓ ଆଲୋଚନା କରିବେ, ଏଣୁ ସମସ୍ତ ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ । ଭାରତ ସର୍ତ୍ତମୂଳକ ଭାବେ ରାଜି ହୋଇଥିବା ସୂଚନା ମିଳିଛି ।

ଅସ୍ତ୍ରବିରତି ଘୋଷଣା ହେବା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବ । ଆତଙ୍କବାଦକୁ କେବେ ବି ପ୍ରଶ୍ରୟ ଦିଆଯିବନି । ମେ' ୧୨ ତାରିଖ ବୈଠକରେ ବି ଆତଙ୍କବାଦକୁ ନେଇ କୌଣସି ପ୍ରକାର ସାଲିସ କରାଯିବନି ବୋଲି କହିଛନ୍ତି ଜୟଶଙ୍କର ।