କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଖଣି ଚୋରି ପରେ ଗ୍ରାଉଣ୍ଡଜିରୋରେ ପିସିସି ମାଇନିଂ ଟିମ୍ । ବେଆଇନ ଖଣି ଅଞ୍ଚଳ ବୁଲି ଦେଖିବା ପରେ ଖଣି ଚୋରି ପାଇଁ ସରକାରଙ୍କ ଆଡକୁ ଆଙ୍ଗୁଳି ଉଠାଇଛି କଂଗ୍ରେସ । ବିଭାଗୀୟ ମନ୍ତ୍ରୀ ତଦନ୍ତ ପାଇଁ ଦମ୍ଭ ଦେଖାଇ କହୁଥିଲେ ମଧ୍ୟ କାହା ଚାପରେ ତଦନ୍ତରେ ବ୍ରେକ ଲାଗିଛି ତାହାକୁ ନେଇ ଉଠିଛି ପ୍ରଶ୍ନ । 

Advertisment

ସୁନ୍ଦରଗଡ଼ ଖଣି କେଳେଙ୍କାରୀକୁ ନେଇ ରାଜ୍ୟ ରାଜନୀତି ସରଗରମ । ବିଭାଗୀୟ ମନ୍ତ୍ରୀ ବେଆଇନ ଖଣି ଲୁଟ୍ ସ୍ଥଳ ବୁଲି ଦେଖିବା ପରେ ମଧ୍ୟ ଏଯାଏଁ ମାଷ୍ଟରମାଇଣ୍ଡଙ୍କ ପାଖରେ ପହଞ୍ଚି ପାରିନି ପ୍ରଶାସନ । ଏପଟେ ଖଣି ଚୋରିର ସତ୍ୟତା ପରଖିବାକୁ ସୁନ୍ଦରଗଡ଼ରେ ପହଞ୍ଚି ଖଣି ଚୋରି ଇଲାକା ବୁଲି ଦେଖିଛି ପିସିସିର ମାଇନିଙ୍ଗ ଟିମ୍ । ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଅଶୋକ ଦାସ ଓ ସି.ଏସ ରାଜନ ଏକ୍କା ତେଲେନଡିହି, ରତନସରା ଜଙ୍ଗଲରେ ଥିବା ବେଆଇନ ଖଣି ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି । ଶାହା କମିଶନ ଭଳି ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ କମିଶନ ଗଠନ କରିବାକୁ ଦାବି କରିଛନ୍ତି ତାରା । ଅନ୍ୟପଟେ ରିଜର୍ଭ ଫରେଷ୍ଟରେ ଖଣି ଚୋରି ହେଉଥିଲେ ମଧ୍ୟ ପ୍ରଶାସନ କିଭଳି ଜାଣିପାରିଲାନି? ବୋଲି ପ୍ରଶ୍ନ କରିଛନ୍ତି ରାଜନ ଏକ୍କା ।

ଖଣି ଚୋରି ଅଞ୍ଚଳ ବୁଲିବା ସହ ବିସ୍ଥାପିତଙ୍କୁ ମଧ୍ୟ ଭେଟିଛି ପିସିସି ମାଇନିଂ ଟିମ୍ । ବିସ୍ଥାପିତ ଏବେ ବି ନ୍ୟାୟ ପାଉନଥିବା ବେଳେ ଖଣି ମାଫିଆ ମାଲେମାଲ ହୋଇସାରିଲେଣି । ପୂର୍ବ ବିଜେଡି ସରକାର ଓ ଏବେର ବିଜେପି ସରକାରର ମିଳିତ ପ୍ରୟାସରେ ଖଣି ଚୋରି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଅନ୍ୟପଟେ ଖଣି ଚୋରିର ସିବିଆଇ ତଦନ୍ତ ଦାବିକୁ ଦୋହରାଇଛନ୍ତି ବିଜେଡି ବିଧାୟକ ଯୋଗେଶ ସିଂ। ବେଆଇନ ଭାବେ ଖଣି ଚୋରି ହୋଇଛି, ପ୍ରମାଣ ବି ମିଳିଛି। ମନ୍ତ୍ରୀ ଲୁଟ୍ ଅଞ୍ଚଳ ବୁଲି ଦେଖିଛନ୍ତି,ଏହାସତ୍ତ୍ବେ ଖଣି ମାଫିଆ ଖୁଲମଖୁଲ୍ଲା ବୁଲୁଛନ୍ତି । ସରକାର ନା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ତଦନ୍ତ ପାଇଁ ଆଗକୁ ବଢୁଛନ୍ତି । ଖଣି ମାଫିଆଙ୍କୁ ଧରିବାକୁ ସରକାରଙ୍କ ଏତେ ଭୟ ଓ ପଛଘୁଞ୍ଚା କାହିଁକି ?