କନକ ବ୍ୟୁରୋ: ଏସିଆ କପ୍ ପାଇଁ ଘୋଷିତ ୧୭ ଜଣିଆ ଟି-୨୦ ଦଳରୁ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କୁ ବାଦ୍ ଦେଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ଏକ ସାହସିକ ପଦକ୍ଷେପ ନେଇ ଏହି ଦୁଇ ଦିଗଜ ଖେଳାଳିଙ୍କ ସ୍ଥାନରେ ଯୁବ ଖେଳାଳିଙ୍କ ଉପରେ ଭରସା କରିଛି ବୋର୍ଡ । ଦଳର ଅଧିନାୟକ ଦାୟିତ୍ୱ ସଲମାନ ଅଲି ଆଘାଙ୍କୁ ଦେଇଛି ପିସିବି । ଏକଦା ପାକିସ୍ତାନ ଟିମ୍ର ବ୍ୟାଟିଂ ମେରୁଦଣ୍ଡ କୁହାଯାଉଥିବା ଏହି ଦୁଇ ବ୍ୟାଟର ଦଳରୁ ବାଦ୍ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ରିକେଟ୍ର ଛୋଟ ଫର୍ମାଟକୁ ଉଭୟ ବାଏ ବାଏ କରିଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଖରାପ ଫର୍ମକୁ ଯୁଝି ହେଉଥିବା ଦୁଇ ପାକ୍ କ୍ରିକଟରଙ୍କୁ ପୂର୍ବତନ ପାକିସ୍ତାନ କ୍ରିକେଟର ତନଭୀର ଅହମ୍ମଦ ଅବସର ନେଇ ଯିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଟି-ଟ୍ୱେଣ୍ଟି ଫର୍ମାଟ ଛାଡ଼ି ଦେବାକୁ କହିଛନ୍ତି । ସେପଟେ ଏହି ନିଷ୍ପତ୍ତିକୁ ପାକିସ୍ତାନ କ୍ରିକେଟରେ ଏକ ନୂଆ ଯୁଗର ଆରମ୍ଭ ବୋଲି ବିବେଚନା କରାଯାଉଛି, ଯେଉଁଠି ଟିମ୍ ମ୍ୟାନେଜମେଣ୍ଟ୍ ଆକ୍ରାମକ ବ୍ୟାଟରମାନଙ୍କୁ ପ୍ରାଥମିକତା ଦେଇଛି । ବାବର ଏବଂ ରିଜ୍ୱାନ୍ ୨୦୨୪ ଡିସେମ୍ବର ପରଠୁ ପାକିସ୍ତାନ ପାଇଁ କୌଣସି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି ।
ଖରାପ ଷ୍ଟ୍ରାଇକ୍ ରେଟ୍ ହେଲା ବାଦ୍ ପଡ଼ିବାର କାରଣ
ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କୁ ଦଳରୁ ବାଦ୍ ଦିଆଯିବାର ମୁଖ୍ୟ କାରଣ ହେଉଛି ଟି-୨୦ ଫର୍ମାଟରେ ସେମାନଙ୍କର ଧିମା ଷ୍ଟ୍ରାଇକ୍ ରେଟ୍ ଏବଂ ପ୍ରଦର୍ଶନରେ ନିରନ୍ତରତାର ଅଭାବ । ପାକିସ୍ତାନ ସୁପର ଲିଗ୍ (PSL)ର ସଦ୍ୟତମ ସିଜିନରେ ବାବରଙ୍କ ଷ୍ଟ୍ରାଇକ୍ ରେଟ୍ ମାତ୍ର ୧୨୮ ଥିଲା । ଯାହା ଆଧୁନିକ ଟି-୨୦ କ୍ରିକେଟ୍ ହିସାବରେ ବହୁତ କମ୍ । ସେହିପରି ରିଜ୍ୱାନଙ୍କ ପ୍ରଦର୍ଶନରେ ମଧ୍ୟ ସ୍ଥିରତା ଦେଖିବାକୁ ମିଳିନଥିଲା । ତେବେ ବାବର ଓ ରିଜ୍ୱାନ୍ଙ୍କ କ୍ରିକେଟ କ୍ୟାରିଅରକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ କିମ୍ବା ପିସିବି ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।
ପାକିସ୍ତାନ ଦଳର କୋଚ୍ ମାଇକ୍ ହେସନ ଏହି ନିଷ୍ପତ୍ତି ଉପରେ ମତ ଦେଇ କହିଛନ୍ତି ଯେ ବାବର ଆଜମଙ୍କୁ ତାଙ୍କ ଖେଳରେ କିଛିଟା ସୁଧାର ଆଣିବାର ଆବଶ୍ୟକତା ରହିଛି । ହେସନ କହିଛନ୍ତି, "ଏଥିରେ କୌଣସି ସନ୍ଦେହ ନାହିଁ ଯେ ବାବରଙ୍କୁ କିଛିଟା କ୍ଷେତ୍ରରେ, ବିଶେଷକରି ସ୍ପିନ୍ ବୋଲିଂ ବିପକ୍ଷରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ରେ ଉନ୍ନତି ଆଣିବାକୁ ପରାମର୍ଶ ଦିଆଯାଇଛି । ମୁଁ ଜାଣେ ସେ ଏହି ଦିଗଗୁଡ଼ିକ ଉପରେ କଠିନ ପରିଶ୍ରମ କରୁଛନ୍ତି ।"
ଯୁବ ଖେଳାଳିଙ୍କୁ ମିଳିଲା ସୁଯୋଗ
ବାବର ଏବଂ ରିଜୱାନଙ୍କ ଅନୁପସ୍ଥିତିରେ, ଚୟନକର୍ତ୍ତାମାନେ ସାମ୍ ଆୟୁବ, ସାହିବଜାଦା ଫରହାନ ଏବଂ ମହମ୍ମଦ ହାରିସଙ୍କ ଭଳି ଯୁବ ଓ ଆକ୍ରାମକ ଖେଳାଳିଙ୍କ ଉପରେ ଭରସା ଦେଖାଇଛନ୍ତି । ସାମ୍ ଆୟୁବଙ୍କୁ ମହମ୍ମଦ ରିଜ୍ୱାନଙ୍କ ସ୍ଥାନରେ ଜଣେ ଭଲ ଓପେନିଂ ବ୍ୟାଟର ଭାବେ ଦେଖାଯାଉଥିବାବେଳେ, ବାବର ଆଜମଙ୍କ ସ୍ଥାନରେ ମହମ୍ମଦ ହାରିସଙ୍କୁ ସୁଯୋଗ ଦିଆଯାଇଛି।
ଏସିଆ କପ୍ ପାଇଁ ପାକିସ୍ତାନ ଦଳ:
ସଲମାନ ଅଲି ଆଘା (ଅଧିନାୟକ), ଅବରାର ଅହମ୍ମଦ, ଫହୀମ ଅଶରଫ, ଫଖର ଜମାନ, ହାରିସ ରୌଫ, ହାସନ ଅଲି, ହାସନ ନୱାଜ, ହୁସେନ ତଲତ, ଖୁସଦିଲ ଶାହ, ମହମ୍ମଦ ହାରିସ (ୱିକେଟକିପର), ମହମ୍ମଦ ନୱାଜ, ମହମ୍ମଦ ୱାସିମ ଜୁନିଅର, ସାହିବଜାଦା ଫରହାନ, ସାମ୍ ଆୟୁବ, ସଲମାନ ମିର୍ଜା, ଶାହିନ ଶାହ ଆଫ୍ରିଦି ଏବଂ ସୁଫିଆନ୍ ମୁକିମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/08/17/babar-rizwan-2025-08-17-18-28-42.jpg)