କନକ ବ୍ୟୁରୋ: ବିଜେପି ସରକାର ଆସିବା ପରେ ପେସା ଆଇନ୍ ଲାଗୁ ହେବା ନେଇ ପ୍ରତିଶ୍ରୁତି ଦେଇଥିଲା ଦଳ । ଆଉ ଏବେ ଏଥିପାଇଁ ବାଟ ଫିଟିଛି । ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ଜନଜାତୀୟ ଗୌରବ ଦିବସରେ ଆଦିବାସୀଙ୍କ ବିକାଶ ଓ ସୁରକ୍ଷା ପାଇଁ ୧୫ଶହ କୋଟିରୁ ଅଧିକ ଟଙ୍କାର ଶିଳାନ୍ନ୍ୟାସ କରିବା ସହ ପେସା ଆଇନ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ନିଜେ ଆଦିବାସୀ ହୋଇଥିବାରୁ ଆଦିବାସୀଙ୍କ ବିକାଶ ପାଇଁ ଚିନ୍ତା କରିଛନ୍ତି। ଆଉ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ଜନଜାତୀୟ ଗୌରବ ଦିବସରେ ଆଦିବାସୀଙ୍କ ପାଇଁ ଭଣ୍ଡାର ଖୋଲିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଦିବାସୀଙ୍କ ବିକାଶ ଓ ସୁରକ୍ଷା ପାଇଁ ୧୫୩୫ କୋଟି ଟଙ୍କାର ଶିଳାନ୍ନ୍ୟାସ କରିଛନ୍ତି। ଏହାସହ ପେସା ଆଇନ କାର୍ୟ୍ୟକାରୀ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାର ଉପରେ ବର୍ଷିବା ସହ ନୂଆ ସରକାରଙ୍କ ଜନଜାତି ସୁରକ୍ଷା, ଶିକ୍ଷା, ଜୀବନ ଜୀବିକା ପାଇଁ ଆସିଥିବା ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇଛନ୍ତି। ଏବେ ଆସନ୍ତୁ ନଜର ପକାଇବା ମୁଖ୍ୟମନ୍ତ୍ରୀଙ୍କ କିଛି ଘୋଷଣା ଉପରେ..
ଆଶ୍ରମ ସ୍କୁଲର ବିକାଶ ପାଇଁ ୨୪୦ କୋଟି
ହାଇସ୍କୁଲ ଗୁଡ଼ିକ ଅପଗ୍ରେଡ୍ କରାଇବା ପାଇଁ ୨୮୬ କୋଟି
ଆଦିବାସୀ ଆବାସିକ ସ୍କୁଲ ପାଇଁ ୮୫୨ କୋଟି
ଜନଜାତିଙ୍କ ପାଇଁ ୧୦୦ କୋଟିର ସ୍ବାଭିମାନ ଭବନ
ଭାଷା ଓ ସଂସ୍କୃତି ପ୍ରତିଷ୍ଠା ପାଇଁ ୫୦ କୋଟି
ଓଡ଼ିଆ ଅସ୍ମିତା ସେଣ୍ଟର ପାଇଁ ୪ କୋଟି
ମଲ୍ଟି ପରପସ୍ ସେଣ୍ଟର ପାଇଁ ୩ କୋଟି
ରାଜ୍ୟରେ ପେସା ଆଇନକୁ ଖୁବ ଶୀଘ୍ର ଲାଗୁ କରାଯିବ। ଏଥିପାଇଁ ଶୀତ ବିଧାନସଭାରେ ବିଲ ଆସିପାରେ। ଏନେଇ ଡ୍ରାଫ୍ଟିଂ ଆରମ୍ଭ ହୋଇଛି। ପେସା ଆଇନର ଉଦ୍ଦେଶ୍ୟ ହେଲା, ଆଦିବାସୀ ଓ ଗ୍ରାମସଭାକୁ ଅଧିକ ସଶକ୍ତ କରିବା। ଜନଜାତୀୟ ଗୌରବ ଦିବସରୁ ନଭେମ୍ବର ୨୬ ତାରିଖ ପର୍ୟ୍ୟନ୍ତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗାଁରେ ଗ୍ରାମସଭା କରାଯିବା ନେଇ ପେସା ଆଇନ୍ ଲାଗୁ ନେଇ ଲୋକଙ୍କ ମତାମତ ଲୋଡ଼ୁଛନ୍ତି ସରକାର। ସେପଟେ ବିଜେପିକୁ କାଉଣ୍ଟର କରିଛି ବିଜେଡି। ବିଜେଡି ବିଧାୟକ କହିଛନ୍ତି, ଗ୍ରାମସଭା ଆଳରେ ରାଜନୈତିକ ସଭା କରୁଛି ବିଜେପି ।
ପେସା ଆଇନକୁ ନେଇ ସବୁବେଳେ ଆନ୍ଦୋଳନ କରିଆସୁଛନ୍ତି ଆଦିବାସୀ। ପେସା ଆଇନ ନଥିବାରୁ ଆଦିବାସୀଙ୍କ ଅଧିକାର ସଂକୁଚିତ ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇଛି। ଯଦି ଏହି ଆଇନ୍ ଲାଗୁ ହୁଏ, ତାହେଲେ ନୂଆ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦପେକ୍ଷ ହେବ ବୋଲି କୁହାଯାଉଛି।