କନକ ବ୍ୟୁରୋ: ଶ୍ରୀଜିଉଙ୍କର ସ୍ନାନ ଯାତ୍ରାପରେ ତିନି ଠାକୁର ଅଣସରରେ ରହିଥାଆନ୍ତି । ସେହି ସମୟରେ ରତ୍ନ ସିଂହାସନରେ ତିନି ଠାକୁରଙ୍କ ବଦଳରେ ପୂଜା ପାଇଥାନ୍ତି ପଟି ଦିଅଁ । ଏହି ପଟି ଦିଅଁ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ପାଇଁ ଭୁବନେଶ୍ୱରୀ ଓ ମହାପ୍ରଭୁଙ୍କ ପାଇଁ ଅନନ୍ତ ନାରାୟଣ ପୂଜା ପାଇବେ । ବହୁ ପୁରାତନ ପରମ୍ପରା ରହିଛି ଏହି ପଟି ଦିଅଁଙ୍କର ପୂଜା । ଶ୍ରୀଜିଉଙ୍କର ଅଣସର ସମୟରେ ରତ୍ନ ସିଂହାସନରେ ପଟି ଦିଅଁଙ୍କୁ ପୂଜା କରାଯାଏ । ପୁରୀର ଚିତ୍ରକାର ସାହିରେ ଅନନ୍ତ ବାସୁଦେବ ଓ ମା ଭୁବନେଶ୍ବରୀଙ୍କ ପଟି ଦିଅଁ ତିଆରି ହେଉଥିବାବେଳେ ବାଲିସାହିର ପଣାପିଡିଆ ସାହିରେ ଅନନ୍ତ ନାରାୟଣଙ୍କର ପଟି ତିଆରି ହୋଇଥାଏ । ଏହି ପଟି ଦିଅଁଙ୍କର ଆକାର ୪ ଫୁଟ ଚଉଡ଼ା ଓ ସାଢ଼େ ୫ ଫୁଟ ଉଚ୍ଚତା ରହିଥାଏ ।  ପଟି ଦିଅଁରେ ଠାକୁରଙ୍କ ମୂର୍ତ୍ତି, ସିଂହାସନ ଓ ସଖୀ ଅଙ୍କା ଯାଇଥାଏ । ନିୟମ ନିଷ୍ଠାରେ ରହି ୭ରୁ ୮ ଜଣ ଏହି କାର୍ଯ୍ୟରେ ଲାଗି ପଡ଼ିଥାଆନ୍ତି । 

Advertisment

ରତ୍ନବେଦି ଛାଡ଼ି ସ୍ନାନବେଦିରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । ଏନେଇ ପାରମ୍ପରିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପନ୍ନ ହୋଇଛି । ସ୍ନାନବେଦିକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହଙ୍କ ବାହୁକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପନ୍ନ ହୋଇଛି । ସ୍ନାନପୂର୍ଣ୍ଣିମାରେ ପହଣ୍ଡି ପୂର୍ବରୁ ଦଇତାପତି ସେବାୟତମାନେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ ନୀତି ସମ୍ପାଦିତ କରିବା ପରେ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିବେ ଚତୁର୍ଦ୍ଧାବିଗ୍ରହ ।