କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଛାତ୍ରୀ ଜଳିଯିବା ଘଟଣାରେ, ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ଥାନା ପୁଲିସ । ସେପଟେ ପୀଡ଼ିତାଙ୍କ ବାପା ଆଉ ଏକ ଏତଲା ଦେଇଛନ୍ତି । ଆପତ୍ତିଜନକ ଫଟୋ ଓ ଭିଡିଓ ପଠାଇ ବ୍ଲାକମେଲ୍ କରୁଥିଲା ପ୍ରମୋଦ । ଯାହାକୁ ନେଇ ଝିଅ ମାନସିକ ଅବସାଦରେ ରହୁଥିଲା ଓ ଶେଷରେ ଆତ୍ମହତ୍ୟା କରିଦେଲା । ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ପୁରୁଷ ବନ୍ଧୁ ପ୍ରମୋଦ ନାଁରେ ସଙ୍ଗୀନ ଦଫା ଲଗାଇଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ ।

Advertisment

ପ୍ରମୋଦଙ୍କ ନାଁରେ ଲାଗିଥିବା ଦଫା  

  • ଦଫା ୨୯୬- ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ
  • ଦଫା ୭୫- ଯୌନ ଉତ୍ପୀଡ଼ନ
  • ଦଫା ୭୮- ବାରମ୍ବାର ଯୌନ ନିର୍ଯାତନା ଦେବା
  • ଦଫା ୧୦୮- ଆତ୍ମହତ୍ୟା ପାଇଁ ବାଧ୍ୟ କରିବା
  • ଦଫା ୬୭ ଓ ୬୭ (କ)- ସୋସିଆଲ ମିଡିଆରେ ଗୋପନୀୟତାର ଉଲ୍ଲଙ୍ଘନ

ତଦନ୍ତ ଯେତେ ଆଗକୁ ବଢୁଛି, ରହସ୍ୟ ସେତେ ଘନଉଛି । ପୋଲିସ ଆତ୍ମହତ୍ୟା ଥିଓରିକୁ ସହଜରେ ଗ୍ରହଣ କରିପାରୁନି । ଛାତ୍ରୀଙ୍କ ବାପାଙ୍କ ମୋବାଇଲ ଫୋନକୁ ଜବତ କରିଛି । କାରଣ ବାପାଙ୍କ ମୋବାଇଲକୁ ଆପତ୍ତିଜନକ ଫୋଟୋ ଓ ଭିଡିଓ ପଠାଉଥିଲା ଛାତ୍ରୀଙ୍କ ପୁରୁଷ ବନ୍ଧୁ । ସେହିପରି ପୁଲିସ ହେପାଜତରେ ଥିବା ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି । ଏହି ଫୋନରେ ମଧ୍ୟ ଛାତ୍ରୀଙ୍କ ଆପତ୍ତିଜନକ ଫୋଟୋ ଏବଂ ଭିଡିଓ ରହିଛି ।

ତାଙ୍କ ହ୍ବାଟ୍‌ସଆପ୍ ଚାଟିଂ ଓ ଭିଡିଓ କଲ୍ ରେକର୍ଡ ମଧ୍ୟ ପୋଲିସ ପାଇଛି । ମୃତ ଛାତ୍ରୀଙ୍କ ପଡୋଶୀ ଓ ସମ୍ପର୍କୀୟଙ୍କ ଘର ଗ୍ରୀଲ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ର ଯାଞ୍ଚ କରୁଛି ପୁଲିସ । ହେଲେ ଗିରଫ ପ୍ରମୋଦଙ୍କ ବାପା ଓ ଭଉଣୀ ପାଲଟା ପୁଲିସ ଉପରେ ବର୍ଷିଛନ୍ତି । ତେବେ କିଏ କହୁଛି ସତ? ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି? ସମସ୍ତଙ୍କ ନଜର ଏବେ ପୁଲିସ ତଦନ୍ତ ଉପରେ ଅଟକିଛି ।