କନକ ବ୍ୟୁରୋ: ଗୁରୁ ନିରଞ୍ଜନ ମହାପାତ୍ରଙ୍କ ରଙ୍ଗତୁଳିରେ ପଟ୍ଟଚିତ୍ର କଳା । ବିଦେଶର ଯୁବପିଢ଼ିଙ୍କ ପସନ୍ଦ ପାଲଟିଛି ତାଙ୍କ କଳାକୃତି । ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ତିପୁରୀ ଗାଁରୁ ବିଦେଶ ଯାଉଛି ପଟଚିତ୍ର ଶାଢ଼ୀ । ବିବାହ ପୋଷାକରେ ମଧ୍ୟ ଅନେକ ସୁନ୍ଦର କଳାକୃତି ଆଙ୍କୁଛନ୍ତି । ଗୁରୁ ନିରଞ୍ଜନ ମହାପାତ୍ରଙ୍କ ହାତ ତିଆରି ରଙ୍ଗ ତୁଳିର ଚିତ୍ର କେବଳ ଜିଲ୍ଲାରେ ନୁହେଁ ଆମ ଦେଶ ସହିତ ବିଦେଶରେ ବି ରହିଛି ଅନେକ ଚାହିଦା । ସେଥିପାଇଁ ତ ଦରିଆ ସେପାରିରୁ ଗୁରୁଙ୍କ ହାତ ତିଆରି ପଟଚିତ୍ରକୁ ବିଦେଶର ଯୁବପିଢ଼ି ଅନେକ ପସନ୍ଦ କରୁଛନ୍ତି ।
ଆମେରିକା, ଲଣ୍ଡନ, ସିଙ୍ଗାପୁର ସମେତ ଭାରତର ପ୍ରତେକ ରାଜ୍ୟରୁ ଆସୁଛି ଅର୍ଡର । ଗାମୁଛା, ଶାଢ଼ି, ଲେହେଙ୍ଗା, ଚୁଡ଼ିଦାର, ସାଲୱାରରେ ଭାରତର ସଂସ୍କୃତିକୁ ତୁଳିରେ ଆଙ୍କୁଛନ୍ତି ଗୁରୁ ନିରଞ୍ଜନ ମହାପାତ୍ର । ଚିତ୍ରକଳା ମାଧ୍ୟମରେ ପୁରୁଣା ପରମ୍ପରା ଓ ଐତିହ୍ୟର ଗାଥାକୁ ପ୍ରଦର୍ଶନ କରୁଛନ୍ତି କଳାକାର । ଗୋଟିଏ ଗୋଟିଏ ଶାଢ଼ି ପେଣ୍ଟିଙ୍କ ପାଇଁ ୨୦ ହଜାରରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏଥିପାଇଁ ୧୦ ଦିନ ଲାଗୁଥିବା ବେଳେ ୭ ଜଣ ପିଲା କାମ କରନ୍ତି ।
ଐତିହ୍ୟ ପରମ୍ପରା ସହିତ ଜଗନ୍ନାଥଙ୍କ କଳା ସଂସ୍କୃତି ଓ ପୌରାଣିକ କଥାବସ୍ତୁକୁ ନିଜର ନିଖୁଣ ଚିତ୍ରକଳା ମାଧ୍ୟମରେ ସେ ଆଙ୍କିଥାଆନ୍ତି । ଯୁବପିଢୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପୁରୀ ଜିଲ୍ଲା କଣାସ ତିପୁରି ଗାଁର ଗୁରୁ ଶ୍ରୀ ନିରଞ୍ଜନ ମହାପାତ୍ର । ନିରଞ୍ଜନ ମହାପାତ୍ର ପଟ୍ଟଚିତ୍ର ଓ ଚିତ୍ରକଳା ଶାଢ଼ୀ, ଲେହେଙ୍ଗା, ପଞ୍ଜାବୀ ପୋଷାକ, ସାଲୁଆର, ଚୁନେରି, ବିବାହ ପୋଷାକ ମଧ୍ୟ ତିଆରି କରୁଛନ୍ତି । ଖାଲି ଏତିକି ନୁହେଁ ଗାଁ ଗହଳିର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେବା ସହିତ ରୋଜଗାରକ୍ଷମ କରାଉଛନ୍ତି । ପୌରାଣିକ କଥାବସ୍ତୁର ପଟ୍ଟଚିତ୍ରକୁ ପୋଷାକରେ ଆଙ୍କିବା ପାଇଁ ମିଳୁଛି ଦେଶ ବିଦେଶରୁ ଅର୍ଡର । ନୂଆ ନୂଆ ପୋଷାକରେ ଚିତ୍ର କଳାର ଛାପ ପାଇଁ ଚାହିଦା ବିଢ଼ୁଛି ।
ପୁରୁଣାକଥା ସଂସ୍କୃତି ଐତିହ୍ୟ ଓ ପରମ୍ପରାକୁ ଜୀବିତ କରୁଛନ୍ତି ନିଜର ଏହି ଚିତ୍ର କଳା ମାଧ୍ୟମରେ ! ଭାରତ ସରକାର ଓ ଓଡିଶା ସରକାରଙ୍କ ଠାରୁ ଅନେକ ପୁରସ୍କାର ପଇଛନ୍ତି ଗୁରୁ ନୀରଞ୍ଜନ ମହାପାତ୍ର । ସେଥିପାଇଁ ତ ବର୍ତ୍ତମାନ ସୁଦ୍ଧା ୨୦୦ ରୁ ଅଧିକ ପିଲା ଏଠି ମାଗଣାରେ ଚିତ୍ର କଳା ଶିକ୍ଷା ନେଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ।