କନକ ବ୍ୟୁରୋ: ସରିବ ଅପେକ୍ଷା । କାଲି ଆସିବ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାର ରାୟ । ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ପାଟଣାଗଡ଼ ଏଡିଜେ କୋର୍ଟ ରାୟ ଶୁଣାଇବେ । ତେବେ ଏହାରି ଭିତରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ କ’ଣ ଦଣ୍ଡ ମିଳିବ ତା’ ଉପରେ ସମସ୍ତଙ୍କ ନଜର ରହିଛି ।  

Advertisment

ତେବେ ବିସ୍ଫୋରଣରେ ପ୍ରାଣ ହରାଇଥିବା ସୋମ୍ୟଶେଖରଙ୍କ ପରିବାର ଏବେ ନ୍ୟାୟ ଅପେକ୍ଷାରେ । ତେଣୁ କୋର୍ଟ ତାଙ୍କ ପୁଅ ଓ ପରିବାର ପ୍ରତି ନ୍ୟାୟ ପ୍ରଦାନ କରିବା ନେଇ ଆଶାବାଦୀ ଅଛନ୍ତି ସୌମ୍ୟଶେଖରଙ୍କ ବାପା ଓ ମା’ । ଏହାସହ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି । ସେପଟେ ରାୟ ଆସିବା ପୂର୍ବରୁ ଅଭିଯୁକ୍ତ ପୁଞ୍ଜିଲାଲର ଓକିଲ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ମାମଲାର କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି । ଆଇନ ଅନୁସାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିନାହିଁ ।  

ଜାଣିରଖିବା ଉଚିତ ଯେ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘରକୁ ଉପହାର ଆକାରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ପାର୍ସଲ ବୋମା ପଠାଇଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।