କନକ ବ୍ୟୁରୋ: ବିହାର ରାଜନୀତିକୁ ନେଇ ମାସେ ହେଲାଣି ଚର୍ଚ୍ଚା ଥମୁନି । ପ୍ରଥମେ ଏନଡିଏ ଉପରେ ନାରାଜ ଥିଲେ ନୀତିଶ, ଖୁବଶୀଘ୍ର ଏନଡିଏ ଛାଡି ଇଣ୍ଡି ମେଣ୍ଟରେ ଯୋଗ ଦେବା ଚର୍ଚ୍ଚା ହେଲା । ଅମିତ ଶାହା ଯାଇଁ ଆଲୋଚନା ପରେ ଚର୍ଚ୍ଚା କମିଲା । ପୁଣି ଥରେ ନୀତିଶଙ୍କୁ ନେଇ ଲାଲୁ, ତେଜସ୍ବୀ ଓ ତେଜ ପ୍ରତାପ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ହେଉଥିବା ବେଳେ ଏବେ ପୁଣି ନୀତିଶଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ । କିନ୍ତୁ ପାଶୱାନ ଏନଡିଏ ସହ ଥିବା ବେଳେ କେମିତି ନୀତିଶଙ୍କୁ ସମାଲୋଚନା କଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।
ବିହାର ରାଜନୀତିରେ ପୁଣି ହଟ୍ଟଚମଟ
ଚିରାଗଙ୍କ ଟାର୍ଗେଟ୍ରେ ନୀତିଶ କୁମାର
ଭୁଲି ଗଲେ କି ଉଭୟ ଏନିଡିଏର ଅଂଶୀଦାର ?
ନିଜକୁ ମୋଦିଙ୍କ ହନୁମାନ କହୁଥିଲେ
ନୀତିଶଙ୍କ ପାଖେ ପାଖେ ରହୁଥିଲେ
ଏବେ ବିରୋଧ କରିବାର କାରଣ କଣ ?
ଚିରାଗ ପାଶୱାନ । ବିହାର ରାଜନୀତିର ଚର୍ଚ୍ଚିତ ଚେହେରା । ଏବେ ପୁଣି କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ଏନଡିଏରେ ସାମିଲ ହେବା ପରେ ମୋଦି ତାଙ୍କୁ ମନ୍ତ୍ରୀପଦ ଦେଇଛନ୍ତି । ମନ୍ତ୍ରୀ ପଦ ପାଇବା ପରେ ଚିରାଗ କହିଥିଲେ ସିଏ ମୋଦିଙ୍କ ହନୁମାନ । ଖାଲି ଏତିକି ନୁହେଁ ବରଂ ନୀତିଶଙ୍କ ସହ ତାଙ୍କ ସମ୍ପର୍କ ବି ବେଶ ଭଲ । ସେଇଥି ଲାଗି ତ ମକର ସଂକ୍ରାନ୍ତିରେ ଦହି-ଚୂଡ଼ା ପର୍ବରେ ନୀତିଶଙ୍କୁ ନିମନ୍ତ୍ରଣ ଦେଇଥିଲେ ଚିରାଗ । ନୀତିଶ ବି ପହଞ୍ଚିଥିଲେ । ହେଲେ ଏମିତି କଣ ହେଲା ଯେ ନୀତିଶ ସରକାରକୁ ସମାଲୋଚନା କଲେ ଚିରାଗ ।
ଚିରାଗଙ୍କ ଟାର୍ଗେଟ୍ରେ ବିହାର ଲୋକ ସେବା ଆୟୋଗ
ସରକାରକୁ କଲେ ତୀବ୍ର ସମାଲୋଚନା
ବିହାର ସରକାରଙ୍କ ଲୋକ ସେବା ଆୟୋଗକୁ ନେଇ ନୀତିଶଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଚିରାଗ । ଅବଶ୍ୟ ଚିରାଗଙ୍କ ଏହି ସମାଲୋଚନା ଏବେର ନୁହେଁ ବରଂ ବହୁପୂର୍ବର । ହେଲେ ବି ଯେଉଁପରି ଢଙ୍ଗରେ ସେ ସମାଲୋଚନା କଲେ ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନୀତିଶଙ୍କ ସମର୍ଥକ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଚିରାଗ ପୂର୍ବରୁ ବି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ମୋଦି ସରକାରଙ୍କ ୧୦୦ ଦିନ ପୂରଣ ପୂର୍ବରୁ କେନ୍ଦ୍ରର ଲେଟରାଲ ଏଣ୍ଟ୍ରିକୁ ଜୋରଦାର ବିରୋଧ କରିଥିଲେ । ଏହାସହ ସୁପ୍ରିମକୋର୍ଟର ସଂରକ୍ଷଣ ଶୁଣାଣିକୁ ବି ବିରୋଧ କରିଥିଲେ । ଚିରାଗଙ୍କ ସହ ବିରୋଧୀ ତୀବ୍ର ବିରୋଧ କରିବା ପରେ କେନ୍ଦ୍ର ସରକାର ଲେଟରାଲ ଏଣ୍ଟ୍ରିକୁ କାର୍ଯ୍ୟକାରୀ କରିନଥିଲେ ।
ପି.କେଙ୍କ ସହ ମିଶିଲେ
ନୀତିଶଙ୍କ ପାଇଁ ଅଡ଼ୁଆ ବଢାଇଲେ
ବିହାର ରାଜନୀତି ସବୁବେଳେ ଚର୍ଚ୍ଚାରେ ଥାଏ । ହେଲେ ଏନଡିଏର ଦୁଇ ନେତା ଚିରାଗ ଓ ନୀତିଶ ଏନଡିଏ ମଧ୍ୟରେ ଥାଇ ବି କେଁ କାଢୁଛନ୍ତି । ବିହାର ଲୋକସେବା ପକ୍ଷରୁ ହୋଇଥିବା ପରୀକ୍ଷାରେ ଦୁର୍ନୀତି ହୋଇ ୩ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ନଷ୍ଟ ହୋଇଛି ବୋଲି ଚିରାଗ ଅଭିଯୋଗ କରିଛନ୍ତି । ଆଉ ଏଥିରେ ନିଆଁରେ ଘିଅ ଢାଳିଛନ୍ତି ପ୍ରଶାନ୍ତ କିଶୋର । ଦୁର୍ନୀତିକୁ ନେଇ ଅନଶନ ବି କରିଛନ୍ତି । ଆଉ ଚିରାଗ ଦାବି କରିଛନ୍ତି ଏହି ଦୁର୍ନୀତିର ତଦନ୍ତ ହେଉ ।
ଚିରାଗଙ୍କ ଚାପରେ ନୀତିଶ ଚେପା ?
ଏନଡିଏରେ ଥାଇ ବି ନୀତିଶ ସରକାରର ନିଦ ହଜାଇଛନ୍ତି ଚିରାଗ । ଯାହାକୁ ନେଇ ଚିନ୍ତାରେ ଶାସକ ଦଳ । ସେପଟେ, ଚଳିତ ବିଧାନସଭା ନିର୍ବାଚନରେ ଚିରାଗଙ୍କ ଦଳ ୭୦ ସିଟ୍ରେ ପ୍ରାର୍ଥୀ ଦେବ । କଥା ହେଲା ପ୍ରଥମେ ନୀତିଶଙ୍କ ସହ ଉତ୍ତମ ବନ୍ଧୁତା ସ୍ଥାପନ କଲେ । ପରେ ପରେ ନୀତିଶଙ୍କ ସରକାରର ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଲେ । କଥା ହେଲା, ଏହି ଦୁର୍ନୀତି ପ୍ରସଙ୍ଗରେ ଏନଡିଏର କୌଣସି ନେତା ପାଟି ଫିଟାଇନାହାନ୍ତି । କେବଳ ଚିରାଗ ହିଁ ନୀତିଶଙ୍କ ଉପରେ ବର୍ଷିଛନ୍ତି ।
ଚିରାଗ-ନୀତିଶ ମୁହାଁମୁହିଁ
ଲୋକ ସେବା ପରୀକ୍ଷା ଦୁର୍ନୀତି ପ୍ରସଙ୍ଗରେ ନୀତିଶଙ୍କୁ ଅଡୁଆରେ ପକାଇଛନ୍ତି ଚିରାଗ । ତେଣୁ ଆଗାମୀ ଦିନରେ ଉଭୟଙ୍କ ସମ୍ପର୍କରେ ତିକ୍ତକା ହେବ ବୋଲି ସ୍ପଷ୍ଟ ସଂକେତ ମିଳିସାରିଛି । ୨୦୨୦ ମସିହାରେ ବି ଚିରାଗ ଠିକ୍ ଏମିତି ରାଜନୈତିକ ଗୋଟି ଚଳାଇଥିଲେ ଯେଉଁଥି ଲାଗି ନୀତିଶ ମାତ୍ର ୪୩ ସିଟ୍ ପାଇଥିଲେ । ହେଲେ ନୀତିଶ ବି କମ ନୁହନ୍ତି । ଚିରାଗଙ୍କୁ ପାନେ ଦେବା ଲାଗି ଏମିତି ଯୋଜନା କଲେ ଯେ ଚିରାଗଙ୍କ ପାର୍ଟି ଫାଳଫାଳ ହେଲା । ଶେଷରେ ଏନଡିଏ ସହ ମିଶିବାକୁ ସେ ବାଧ୍ୟ ହେଲେ । କିନ୍ତୁ ଏବେ ପୁଣି ଥରେ ରାଜନୈତିକ ଗୋଟି ଚାଳନା ଚିରାଗ ଆରମ୍ଭ କରିଥିବାରୁ ନୀତିଶ ବି ଚୁପ୍ ବସିବେ ନାହିଁ ବୋଲି କୁହାଯାଉଛି ।
ମୋଟ୍ ଉପରେ, ନୀତିଶ କୁମାର-ଚିରାଗ ପାଶୱାନକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ କେହି କାହାକୁ ଛାଡିବା ପରିସ୍ଥିତିରେ ନାହାନ୍ତି । ଏମିତି ସ୍ଥିତିରେ ଏନଡିଏର ହେଭିୱେଟ୍ ନେତା ଉଭୟଙ୍କ ମଧ୍ୟରେ ଉପୁଯିଥିବା ବିବାଦକୁ କେମିତି ପ୍ରଶମିତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।