କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପାଟଣା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ତେଜସ୍ୱୀଙ୍କ ପାଇଁ ଏକ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଥିଲା । ବର୍ତ୍ତମାନ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଆସିସାରିଛି, ଆଉ ନିଜକୁ ଯୁବପୀଢିଙ୍କ ପ୍ରତିନିଧି ଏବଂ ଆରଜେଡିକୁ ଯୁବପୀଢିଙ୍କ ଦଳ କହିଆସୁଥିବା ତେଜସ୍ୱୀ ଯାଦବଙ୍କୁ ଲାଗିଛି ବଡ ଝଟକା । ପାଟଣା ଛାତ୍ର ସଂସଦ ନିର୍ବାଚନରେ ଆରଜେଡିକୁ ନିରାଶ ହେବାକୁ ପଡିଛି । ପରାଜୟ ହୋଇଛନ୍ତି ତେଜସ୍ୱୀ ଯାଦବଙ୍କ ସମର୍ଥନରେ ଲଢୁଥିବା ସମସ୍ତ ପ୍ରାର୍ଥୀ । ଏହି ଛାତ୍ର ସଂସଦ ନିର୍ବାଚନ ତେଜସ୍ୱୀ ଯାଦବଙ୍କ ପାଇଁ ବଡ ବିଫଳତା ଏବଂ ଚିନ୍ତାଜନକ ବୋଲି କୁହାଯାଉଛି । 

Advertisment

ଏବେ ଆସନ୍ତୁ ନଜର ପକାଇବା କାହା ହାତକୁ କେଉଁ କେଉଁ ଆସନ ଯାଇଛି ଏବଂ ଆରଜେଡିର ପରାଜୟ ବାବଦରେ । ପ୍ରଥମ ଥର ପାଇଁ ପାଟଣା ଛାତ୍ର ସଂସଦ ନିର୍ବାଚନରେ ଜଣେ ମହିଳା ପ୍ରାର୍ଥୀ ସଭାପତି ହୋଇଛନ୍ତି । ସେହିପରି କେନ୍ଦ୍ରୀୟ ପ୍ୟାନେଲରେ ୫ରୁ ୩ଜଣ ଝିଅ ବିଜୟୀ ହୋଇଛନ୍ତି । ଏଥିମଧ୍ୟରୁ ସଭାପତି ପଦବୀ ABVP ହାତକୁ ଯାଇଛି, ଯୁଗ୍ମ ସମ୍ପାଦକ ପଦବୀ NSUI ହାତକୁ ଯାଇଛି । ସାଧାରଣ ସମ୍ପାଦକ ପଦବୀ ସ୍ୱାଧୀନ ପ୍ରାର୍ଥୀ ସାଲୋନି ରାଜ ଦଖଲ କରିଥିବା ବେଳେ, ଉପାଧ୍ୟକ୍ଷ ପଦବୀ ମଧ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ନିକଟକୁ ଯାଇଛି । ଆଉ ଆରଜେଡି ଏହି ନିର୍ବାଚନରେ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛି ।

ତେବେ ଏହି ନିର୍ବାଚନ ଫଳାଫଳ  ତେଜସ୍ୱୀଙ୍କ ପାଇଁ ଏକ ବଡ ଶିକ୍ଷା ବୋଲି କୁହାଯାଉଛି । ଯଦି ଏହି ନିର୍ବାଚନରୁ ନିଜର ଭୁଲକୁ ସଂସୋଧନ କରିପାରିବେ ତେବେ ଆଗାମୀ ଦିନରେ ଆରଜେଡି ବିଜୟ ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ଏବଂ ବରିଷ୍ଠ ସାମ୍ବାଦିକ ମତ ରଖିଛନ୍ତି । ବିଶେଷଜ୍ଞମାନେ ମତ ପ୍ରକାଶ କରି ଆହୁରି କହିଛନ୍ତି କି, ଆରଜେଡିର ବଡ ଲକ୍ଷ୍ୟ ହେଉଛି ବିଜେପି ଓ ହାରଜେଡିରୁ ପରାଜୟ କରାଇବା । ତେଣୁ ଏପରି ପରିସ୍ଥିତିରେ ଆରଜେଡିକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ରାଜନୀତିକୁ ଫେରିବାକୁ ପଡିବ ।