କନକ ବ୍ୟୁରୋ: ଏବେ ପୁଣି ଚର୍ଚ୍ଚାରେ ବିହାର । ଏଥର ରାଜନୀତିକୁ ନୁହେଁ ପ୍ରଶାସନିକ ଅବ୍ୟବସ୍ଥା ପାଇଁ । ଅର୍ଥାତ୍‌ ବଡବାବୁଙ୍କ ଭୁଲ ଲାଗି ଦରମା ପାଉନାହାନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କି ଅନ୍ୟ କୌଣସି ନେତା ଅଫିସର। କମ୍ପ୍ରହେନସିଭ୍‌ ଫାଇନାନସିଆଲ ମ୍ୟାନେଜମେଣ୍ଟ ସିଷ୍ଟମରେ ଗଡବଡ଼ ଲାଗି ଏମିତି ଅସୁବିଧା ହୋଇଥିବା ଜଣାପଡ଼ିଛି । ବିହାର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଦରମା ବ୍ୟବସ୍ଥାକୁ ସୁଧାରିବା ଲାଗି ଏହି ମାସ ଆରମ୍ଭରେ ନୂଆ ସଫ୍ଟୱେର ଲଂଚ କରିଥିଲେ ବିହାର ସରକାର । କିନ୍ତୁ ଏହା ଠିକ୍‌ରେ କାମ କଲାନାହିଁ । ନୂଆ ସଫ୍ଟୱେର ଲଗାଇବାକୁ ପାଖାପାଖି ୨୫ ଦିନ ହୋଇଗଲାଣି ହେଲେ ସ୍ଥିତିରେ କୌଣସି ସୁଧାର ଆସିନାହିଁ । ତେଣୁ ସମସ୍ୟା ଭିତରେ ଏବେ ବିହାର ସରକାର ।

Advertisment

ବିହାର ସରକାର ଦରମା ବ୍ୟବସ୍ଥାକୁ ଆଧୁନିକ ଶୈଳୀରେ କରିବା ଲାଗି କମ୍ପ୍ରହେନସିଭ୍‌ ଫାଇନାନସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ କରିବା ଲାଗି ନିଷ୍ପତ୍ତି ହୋଇଥିଲା । କିନ୍ତୁ ସିଷ୍ଟମ ଭଲରେ କାମ କରିବା ପରିବର୍ତ୍ତେ ବିଗିଡ଼ିଗଲା । ଯାହା ଲାଗି ଦରମା ବନ୍ଦ ହୋଇଗଲା । ପ୍ରଥମତଃ ଏହି ସିଷ୍ଟମରେ ତ୍ରୁଟି ପରିଲକ୍ଷିତ ହେବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, CFMS 02.0 କାର୍ଯ୍ୟକାରୀ ହୋଇଥିଲା । ହେଲେ ସେଥିରେ ବି ତ୍ରୁଟି ହେବା କାରଣରୁ ମନ୍ତ୍ରୀଙ୍କ ଦରମା ମଧ୍ୟ ବନ୍ଦ ହୋଇଯାଇଛି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି । 

୭ ଦିନରେ ସୁଧୁରିବ ସ୍ଥିତି
ମିଳିବ ବକେୟା ଦରମା

ବିହାର ସରକାରଙ୍କର ସଫ୍ଟୱେର ମେସିନ ଖରାପ ହେବା କାରଣରୁ ରାଜ୍ୟରେ ବିଷମ ସ୍ଥିତି ଉପୁଜିଛି । ଏହାକୁ ସୁଧାରିବାକୁ ଯାଇ ଅର୍ଥମନ୍ତ୍ରୀ କହିଛନ୍ତି, ସିଷ୍ଟମରେ ଅସୁବିଧା ହେବା କଥା ଜଣାପଡ଼ିବା ପରେ ତ୍ରୁଟି ସୁଧାରିବାକୁ ଚେଷ୍ଟା କରାଯାଉଛି । ମାତ୍ର ୧ ସପ୍ତାହ ମଧ୍ୟରେ ଏହି ତ୍ରୁଟି ସଂଶୋଧନ ହେବା ସହିତ ବକେୟା ଦରମା ଖୁବଶୀଘ୍ର ମିଳିବ । ଏହାସହ ମନ୍ତ୍ରୀ ମାନିଛନ୍ତି କି, ସଫ୍ଟୱେରରେ ଅସୁବିଧା ହେବା କାରଣରୁ ଅନେକଙ୍କ ଦରମା ବନ୍ଦ ରହିଛି । ଯାହାକୁ ନେଇ ଅଫିସରଙ୍କଠୁ ନେତା ସମସ୍ତେ ହଇରାଣ ହେଉଛନ୍ତି । କିନ୍ତୁ କମ୍ପାନୀ ସହ ଆଲୋଚନା କରିବା ପରେ ଜାନୁଆରୀ ୩୧ ସୁଦ୍ଧା ମେସିନ ଠିକ୍‌ ହେବ ଏବଂ ଆର୍ଥିକ କାରବାର ଆରମ୍ଭ ହେବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । 

ନୀତିଶଙ୍କୁ ଟାର୍ଗେଟ୍‌ କରିବାକୁ ବିରୋଧୀ ପାଇଲେ ମୌକା

ମାସେ ହେଲାଣି ବିହାରକୁ ନେଇ ପୁରା ଦେଶରେ ଚର୍ଚ୍ଚା ଚାଲିଛି । କାରଣ ଏନଡିଏରେ ସେ ଅସନ୍ତୋଷ ଥିବା ସହ ଖୁବଶୀଘ୍ର ଏନଡିଏ ଛାଡି ଇଣ୍ଡି ମେଣ୍ଟରେ ଯୋଗ ଦେବା ନେଇ ଚର୍ଚ୍ଚା ହେଲା । ଏମିତିକି ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷ ଦର୍ଶନ ଲାଗି ନୀତିଶ ଦିଲ୍ଲୀ ଗସ୍ତ କରିଥିଲେ ସୁଦ୍ଧା ଏନଡିଏ ନେତାଙ୍କ ସହ କୌଣସି ଆଲୋଚନା କରିନଥିଲେ । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । ପରେ ପରେ ଅମିତ ଶାହ ନୀତିଶଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କରିଥିଲେ । ସେପଟେ ଲାଲୁ କହିଥିଲେ, ନୀତିଶଙ୍କ ଲାଗି ଆମ ଦ୍ବାର ସବୁବେଳେ ଖୋଲା । ହେଲେ ଏହାକୁ ବିରୋଧ କରିଥିଲେ ଲାଲୁଙ୍କ ଦୁଇ ପୁଅ ତେଜସ୍ବୀ ଓ ତେଜପ୍ରତାପ । ଏମିତିକି କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ ବି ନୀତିଶଙ୍କୁ ଦହିଚୂଡା ନିମନ୍ତ୍ରଣ ଦେବା ପରେ ରାଜନୈତିକ ଉଷ୍ମତା ଦେଖାଯାଇଥିଲା । ଆଉ ଏବେ ବିରୋଧୀ କହିଛନ୍ତି, ନୀତିଶଙ୍କ ବ୍ୟବସ୍ଥା ହିଁ ବିହାରବାସୀଙ୍କ ଲାଗି କାଳ । ସରକାର ତ ଠିକ୍‌ରେ ଚଲାଇପାରୁନାହାନ୍ତି ସଫ୍ଟୱେର କଣ ଚଲାଇବେ । ଅବଶ୍ୟ ଏନେଇ ନୀତିଶ କୁମାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି ହେଲେ ଚର୍ଚ୍ଚା ଜୋର ।