କନକ ବ୍ୟୁରୋ : ପୁଣିଥରେ ବିହାର ଗସ୍ତରେ ଆସୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏଥର ରାହୁଲ ଗାନ୍ଧୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗଡ଼ କୁହାଯାଉଥିବା ନାଳନ୍ଦାରେ ସଭା କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଗୋଟିଏ ସପ୍ତାହ ଭିତରେ ଅର୍ଥାତ ଆସନ୍ତା କାଲି ରାହୁଲ ଗାନ୍ଧୀ ବିହାରରେ ରଣହୁଙ୍କାର ଦେବେ । ବିହାର ମୋଟ ଜନସଂଖ୍ୟାର ଓବିସି ଓ ଇବିସିଙ୍କ ସଂଖ୍ୟା ପାଖାପାଖି ୩୬ ପ୍ରତିଶତ । ଯାହା କି ନିର୍ବାଚନକୁ ପ୍ରଭାବିତ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ନାଳନ୍ଦାରେ ରାହୁଲ ଗାନ୍ଧୀ ଓବିସି ଓ ଇବିସିଙ୍କ ଉଦ୍ଦେଶ୍ୟରେ  ଜନସଭା କରିବାକୁ ଯାଉଛନ୍ତି । ଏହି ସମ୍ମିଳନୀରେ ରାହୁଲ ଗାନ୍ଧୀ ପଳାୟନ ରୋକିବା, ଚାକିରି ଦେବା ଏବଂ ନ୍ୟାୟକୁ ନେଇ ଜନସାଧାରଣଙ୍କୁ ଉଦବୋଧନ ଦେବେ । କଂଗ୍ରେସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିହାରରେ ନୀତିଶଙ୍କ ଭୋଟ ବ୍ୟାଙ୍କ ଉପରେ ଫୋକସ୍ କରିବା । ଏହାସହ ବିହାରରେ ନୀତିଶ କୁମାର ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ ବି ରାଜ୍ୟରେ ଶିକ୍ଷା ଓ ରୋଜଗାର ବ୍ୟବସ୍ଥା କିଭଳି ଧ୍ୱଂସ ହେବାରେ ଲାଗିଛି ତାହା ବିହାର ଜନତାଙ୍କୁ ଅବଗତ କରାଇବାକୁ ରାହୁଲ ଗାନ୍ଧୀ ଅଣ୍ଟା ଭିଡିଛନ୍ତି ।

Advertisment

ବିହାରର ଜଣେ ରାଜନୈତିକ ବିଶ୍ଳେଷକ କହିଛନ୍ତି କି, ବିହାରରେ ଦୁର୍ବଳ ହୋଇପଡିଥିବା କଂଗ୍ରେସକୁ ପୁଣିଥରେ ଆଗକୁ ନେବାକୁ କଂଗ୍ରେସ ଏଥର ପୂର୍ଣ୍ଣ ରଣନୀତି ସହକାରେ ଆଗକୁ ବଢୁଛି । ଏହା ପୂର୍ବରୁ ରାହୁଲ ବିହାରର ଦରଭଙ୍ଗା,  ପାଟନାରେ ସଭା କରି ଦଳିତ ଓ ଅଳ୍ପସଂଖ୍ୟକଙ୍କୁ ବଡ଼ ମେସେଜ ଦେଇଛନ୍ତି । ରାଜନୈତିକ ବିଶ୍ଳେଷକଙ୍କ ମତରେ ବିହାରରେ ସବର୍ଣ୍ଣ ଲୋକମାନେ କଂଗ୍ରେସ ଠାରୁ ମୁହଁ ଫେରାଇସାରିଛନ୍ତି । ତେଣୁ ଦଳ ଏବେ ଦଳିତ, ପଛୁଆବର୍ଗ ଓ ଅଳ୍ପସଂଖ୍ୟକଙ୍କ ଭୋଟକୁ ନଜର କରିଛି । ଅଳ୍ପସଂଖ୍ୟକ ଓ ଅତି ପଛୁଆବର୍ଗଙ୍କ ସହାୟତାରେ ଦଳ ଏବେ ଆରଜେଡି ଠାରୁ ଭିନ୍ନ ନିଜର ସ୍ୱତନ୍ତ୍ର ଛବି ପ୍ରସ୍ତୁତ କରିବା କାମରେ ଲାଗିଛି ।

ଏଥର ସଭା ସିଧାସଳଖ ନୀତିଶଙ୍କ ପାରମ୍ପରିକ ଗଡ଼ କୁହାଯାଉଥିବା ନାଳନ୍ଦାରେ ହେବ । କାରଣ ନାଳନ୍ଦାରେ କୁର୍ମୀ, ଓ କୁଶୱାହା ସମ୍ପ୍ରଦାୟ ସବୁଠାରୁ ଅଧିକ ବାସ କରନ୍ତି । ଏଠାରେ ସେ ଓବିସି ଓ ଇବିସି ସମ୍ମିଳନୀକୁ ଉଦବୋଧନ ଦେଇ ନୀତିଶ କୁମାରଙ୍କ ଭୋଟକୁ ଭାଙ୍ଗିବାକୁ ଚେଷ୍ଟା କରିବେ । 

ସୂଚନା ଥାଉକି, ୨୦୨୦ ସାଧାରଣ ନିର୍ବାଚନରେ କଂଗ୍ରେସ ମହାମେଣ୍ଟରେ ସାମିଲ ହୋଇ ୭୦ ଟି ଆସନରେ ନିର୍ବାଚନ ଲଢିଥିଲା । ହେଲେ ଦଳ ଦୁର୍ବଳ ପ୍ରଦର୍ଶନ ପୂର୍ବକ ୧୯ ଟି ଆସନରେ ବିଜୟୀ ହୋଇଥିଲା । ହେଲେ ଏଥର ରାହୁଲ ଗାନ୍ଧୀ ଜାନୁଆରୀ ୧୮, ଫେବ୍ରୁଆରି  ୪,  ଏପ୍ରିଲ ୭, ମେ'୧୫, ଓ ଏବେ ଜୁନ ୬ ତାରିଖରେ ବିହାର ଯାତ୍ରା କରି ଦଳର ସ୍ଥିତିକୁ ମଜଭୁତ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଗତ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ମହାମେଣ୍ଟ ସରକାର ଗଠନ କରିବାରେ ବିଫଳ ହୋଇଥିବାରୁ ଚଳିତ ନିର୍ବାଚନରେ ମହାମେଣ୍ଟରୁ କଂଗ୍ରେସକୁ କେତେ ଆସନ ମିଳିବ ତାହା ସ୍ପଷ୍ଟ ହୋଇପାରିନାହିଁ ।