କନକ ବ୍ୟୁରୋ : ନୀତିଶଙ୍କ ପରେ ପରେ ଏବେ ବିହାର ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଲାଲୁଙ୍କ ପରିବାରର କଳି । ପୂର୍ବରୁ ଦୁଇ ପୁଅ ତେଜସ୍ବୀ ଓ ତେଜ ପ୍ରତାପ ମଧ୍ୟରେ ଅନେକ ବିବାଦ ଦେଖିବାକୁ ମିଳିଥିଲା । ହେଲେ ଦୁଇ ପୁଅଙ୍କ କଳି ସାମ୍ନାରେ ବାପା ଲାଲୁ ସବୁବେଳେ ଢାଲ ହୋଇ ଛିଡା ହେଉଥିଲେ । କିନ୍ତୁ ଏବେ ଲାଲୁଙ୍କ ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି । ଘର ଭିତରେ କଳି କେତେ ଜୋର ଅଛି ତାହା ଏବେ ସମସ୍ତେ ଜାଣିଲେଣି । ଯାହାକୁ ନେଇ ବିରୋଧୀ ଲାଲୁଙ୍କୁ ଷଣ୍ଢୁଆସି ଆକ୍ରମଣ କରିବା ସହିତ ତେରଛା ବାଣ ମାରିଛନ୍ତି । କହିଛନ୍ତି, ଲାଲୁ ଆଗେ ପରିବାର କଥା ସମାଧାନ କରନ୍ତୁ ପରେ ରାଜନୀତି କରିବେ । 

Advertisment

ଝଗଡ଼ା ହେଲା କାହିଁକି ?

ଉଭୟଙ୍କ ଭିତରେ ହୋଇଥିବା ଝଗଡାର କୁଆଡ଼େ ମୁଖ୍ୟ କାରଣ ଜେଡିୟୁର ଜଣେ ନେତା । କୁହାଯାଉଛି କି, ଜେଡିୟୁର ଜଣେ ନେତା ଆରଜେଡିରେ ସାମିଲ ହେବାର ଥିଲା । ତେଣୁ ଅପରାହ୍ନ ୪ଟା ୩୦ରେ ତେଜସ୍ବୀ ପ୍ରେସମିଟ୍‌ ଡାକିଥିଲେ । ଗଣମାଧ୍ୟମ ପହଞ୍ଚିବା ପରେ ଦଳରେ ଆରଜେଡି ନେତାଙ୍କୁ ସାମିଲ କରିବା ସହିତ ଦଳର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ନେଇ ଘୋଷଣା ବି କଲେ । ଏହାପରେ ରାଜ୍ୟ କାର୍ଯ୍ୟାଳୟରେ ଯାଇ ବୈଠକ କଲେ । ପାଖାପାଖି ଅପରାହ୍ନ ୫ଟା ୩୦ରେ କାର୍ଯ୍ୟାଳୟରୁ ବାହାରିବା ଲାଗି କାରକେଡ୍‌ ବି ପ୍ରସ୍ତୁତ ଥିଲା । କାରକେଡ୍‌ ପ୍ରସ୍ତୁତ ହେବା ପରେ ସେ ବାହାରିଯାଇଥିଲେ କାର୍ଯ୍ୟାଳୟରୁ । ତେଜସ୍ବୀ ଯିବାର ଠିକ୍‌ ୨ ମିନିଟ୍‌ ପରେ ତେଜପ୍ରତାପଙ୍କ ଗାଡ଼ି ପହଞ୍ଚିଥିଲା କାର୍ଯ୍ୟାଳୟରେ । 

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ତେଜସ୍ବୀଙ୍କୁ ଖବର ଥିଲା କି ତେଜପ୍ରତାପ ପାର୍ଟି ଅଫିସ୍‌କୁ ଆସୁଛନ୍ତି । କିନ୍ତୁ ଏହାପରେ ବି ତେଜସ୍ବୀ ପାର୍ଟି ଅଫିସ୍‌ରୁ ବାହାରି ଯାଇଥିଲେ । ଖାଲି ସେ ଯାଇନଥିଲେ ବରଂ ପାର୍ଟି ଅଫିସ୍‌ରେ ଥିବା ଅନେକ ବରିଷ୍ଠ ଅଧିକାରୀମାନେ ଜଣଙ୍କ ପରେ ଜଣେ ପାର୍ଟି ଅଫିସ୍‌ରୁ ପଳାଇଥିଲେ । ଏହାସହ ଜେଡିୟୁର ନେତା ଆରଜେଡିର ସାମିଲ ହେବା ପରେ ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରୁ ବାହାରିଥିଲେ । ଏହାସହ ତେଜ ପ୍ରତାପ ଖବର ପାଇଥିଲେ କି ତେଜସ୍ବୀଙ୍କୁ ବଡ଼ ପଦବୀ ମିଳିବାକୁ ଯାଉଛି । ଯେହେତୁ ତେଜ ପ୍ରତାପ ବଡ଼ ତେଜସ୍ବୀଙ୍କଠାରୁ, ତେଣୁ ସାନ ଭାଇଙ୍କ କଥା ମାନିବା ପରିସ୍ଥିତିରେ ସେ ନଥିଲେ । ଯେଉଁଥି ଲାଗି ସେ ଅଫିସ୍‌ରେ ପହଞ୍ଚିବା ପରେ ବଡ ଧରଣର ହଲଚଲ ଦେଖିବାକୁ  ମିଳିଥିଲା । 

ବିରୋଧୀଙ୍କୁ ମିଳିଗଲା ବଡ଼ ମୌକା

ଲାଲୁଙ୍କ ଘରେ ଝଗଡ଼ା ହେବା ପରେ ବିରୋଧୀଙ୍କୁ କିନ୍ତୁ ମୌକା ମିଳିଯାଇଛି ଲାଲୁଙ୍କୁ ନେଇ ରାଜନୀତି କରିବାକୁ । ଜେଡିୟୁର ପ୍ରବକ୍ତା ନିରଜ କୁମାର କହିଛନ୍ତି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆରଜେଡିର ନିଜସ୍ବ ମାମଲା । ହେଲେ ଦେଶ ଜାଣିବାକୁ ଚାହୁଁଛନ୍ତି କି, ଲାଲୁ କଣ ରାଜନୀତିରେ ଥକି ପଡ଼ିଲେଣି । ରାଜନୀତି କରିବାକୁ ସେ ଡରୁଛନ୍ତି କି । ଯଦି ଏମିତି ନାହିଁ ତାହାଲେ ଲାଲୁ ନିଜ ପୁଅଙ୍କୁ ରାଜନୀତିରେ କାହିଁକି ଆୟତ୍ତ କରିପାରୁନାହାନ୍ତି । ପୁରା ଘଟଣାକୁ ତର୍ଜମା କଲେ ଗୋଟିଏ କଥା ଜଣାପଡୁଛି କି, ବିହାର ରାଜନୀତିରେ ଆଉ ସକ୍ରିୟ ନାହାନ୍ତି ଲାଲୁ । ସେଇଥି ଲାଗି ଦଳର ଏହି ସ୍ଥିତି । ଏବେ ସମୟ କହିବ, ଆଗାମୀ ଦିନରେ ଲାଲୁଙ୍କ ଦୁଇ ପୁଅକୁ ବୁଝାଉଛି କିଏ  ।