କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରେ ଭୋଟ ଚୋରି ଓ ମିଥ୍ୟା ଶପଥପତ୍ର ଦାଖଲ ମାମଲା ଏବେ ପାଟନା ହାଇକୋର୍ଟରେ ପହଞ୍ଚିଛି। କୋର୍ଟ ୪୨ ଜଣ ନିର୍ବାଚିତ ବିଧାୟକଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛନ୍ତି। ସମ୍ପୃକ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପରାଜିତ ପ୍ରାର୍ଥୀମାନେ ପାଟନା ହାଇକୋର୍ଟରେ ନିର୍ବାଚିତ ବିଧାୟକମାନଙ୍କ ବିରୁଦ୍ଧରେ ଏକ ଆବେଦନ ଦାଖଲ କରିଛନ୍ତି। ଆବେଦନରେ ଅଭିଯୋଗ କରାଯାଇଛି ଯେ ନିର୍ବାଚନ ସମୟରେ ଭୋଟ୍ କିଣାଯାଇଥିଲା ଏବଂ ନାମାଙ୍କନ ସମୟରେ ଦାଖଲ ହୋଇଥିବା ଶପଥପତ୍ରରେ ମିଥ୍ୟା ସୂଚନା ଦିଆଯାଇଥିଲା। ଏନଡିଏ ଉପରେ ଭୋଟରଙ୍କୁ ଦଶ ହଜାର ଟଙ୍କା ଦେଇ ଭୋଟ୍ କିଣିବାର ମଧ୍ୟ ଅଭିଯୋଗ ହୋଇଛି । ଆବେଦନରେ ନାମିତ ପ୍ରମୁଖ ନେତାମାନଙ୍କ ମଧ୍ୟରେ ବିଧାନସଭା ବାଚସ୍ପତି ପ୍ରେମ କୁମାର, ଶକ୍ତି ମନ୍ତ୍ରୀ ବିଜେନ୍ଦ୍ର ଯାଦବ, ପୂର୍ବତନ ମନ୍ତ୍ରୀ ଜୀବେଶ ମିଶ୍ର ଓ ବିଧାୟକ ଚେତନ ଆନନ୍ଦ ପ୍ରମୁଖ ଅଛନ୍ତି। ଏହି ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ଅଛି ଏବଂ ସମସ୍ତ ବିଧାୟକଙ୍କଠାରୁ ଜବାବ ତଲବ କରାଯାଇଛି ।

Advertisment

ଉଲ୍ଲେଖଯୋଗ୍ୟ, ବିହାର ବିଧାନସଭା ନିର୍ବାଚନର ଫଳାଫଳ ନଭେମ୍ବର ୧୪ତାରିଖ, ୨୦୨୫ରେ ଘୋଷଣା କରାଯାଇଥିଲା। ଏହା ପରେ ନେତାମାନେ ପାଟନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଧାନସଭା ନିର୍ବାଚନରେ ଏନଡିଏର ବଡ଼ ବିଜୟ ହୋଇଥିଲା। ଆରଜେଡି ୨୫ ଆସନରେ ସିମିତ ରହିଥିଲା। କଂଗ୍ରେସକୁ କେବଳ ୬ଟି ଆସନ ମିଳିଥିଲା। ସବୁଠୁ ଅଧିକ ଆସନ ବିଜେପି ଓ ଜେଡିୟୁକୁ ମିଳିଥିଲା। ବିଜେପି ୮୯ ଆସନ ଜିତିଥିବାବେଳେ ଜେଡିୟୁ ୮୫ ଆସନ ଜିତିଥିଲା। ସେହିପରି ଚିରାଗ ପାସୱାନଙ୍କ ଦଳ ୧୯ଟି ଆସନ ଜିତିଥିଲା ଏବଂ ଜିତନରାମ ମାଂଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ୫ଟି ଆସନ ପାଇଥିଲା। ଉପେନ୍ଦ୍ର କୁଶୱାଙ୍କ ରାଷ୍ଟ୍ରିୟ ଲୋକ ମୋର୍ଚ୍ଚା (ଆରଏଲଏମ୍) ୪ଟି ଆସନ ଜିତିଥିଲା ।

ଅଧିକ ପଢ଼ନ୍ତୁ--ମାଗଣା ଯୋଜନା ନେଇ ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା