କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିହାର ରାଜନୀତି । ଏଥର ବିଧାନସଭା ନିର୍ବାଚନରେ କିଏ କେଉଁ ପ୍ରସଙ୍ଗରେ ଭୋଟ୍‌ ମାଗିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି କି, ମୋଦୀ ଓ ନୀତିଶ ଏଥର ଏକାଠି ହୋଇ ଲଢିବେ । ହେଲେ ୨୦୦୫ ପୂର୍ବର ପ୍ରସଙ୍ଗକୁ ନେଇ ଏନଡିଏ ମୁଖ୍ୟ ମୁଦ୍ଦା କରିବ ବୋଲି ଚର୍ଚ୍ଚା ହେଉଛି । ଏମିତିରେ ବଜେଟ୍‌ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଥିଲେ ନୀତିଶ କୁମାର ଓ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ । 

Advertisment

ନିର୍ବାଚନ ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି ମୋଦୀ
ଜଙ୍ଗଲୀରାଜ୍‌ ହେବ ବଡ଼ ପ୍ରସଙ୍ଗ

ଦେଶର ଯେକୌଣସି ରାଜ୍ୟରେ ନିର୍ବାଚନ ହୁଏ ମୋଦୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଯାଆନ୍ତି । ହେଲେ ସେହି ପ୍ରଚାର ସମୟରେ କେଉଁ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍‌ କରିହେବ ସେନେଇ ମୋଦୀ ପୂରା ପ୍ରସ୍ତୁତି କରନ୍ତି । ମନେଥିବ ନିଶ୍ଚୟ ୨୦୦୫ ମସିହାର କଥା…ବିହାରରେ ଯେଉଁ ସମୟରେ ଜଙ୍ଗଲୀ ରାଜ ଚାଲିଥିଲା ସେହି ସମୟରେ ଲାଲୁଙ୍କୁ ହଟାଇ ନୀତିଶ ସରକାର କରିଥିଲେ । ହେଲେ ପ୍ରଧାନମନ୍ତ୍ରୀ ଏବେ ବି ଲାଲୁଙ୍କ ଦଳକୁ ପରିବାରବାଦ ରାଜନୀତି ସହ ଜଙ୍ଗଲୀ ରାଜର ଆଖ୍ୟା ଦେଉଛନ୍ତି । ତେଣୁ ଏହା ବଡ଼ ପ୍ରସଙ୍ଗ ହେବ ବୋଲି କୁହାଯାଉଛି । 

ସେପଟେ ଆରଜେଡି କହିଛି ଏନଡିଏ ପାଖରେ ମୁଦ୍ଦା ନାହିଁ । ନିର୍ବାଚନ ସମୟରେ ମୋଦୀ ଅନେକ ସ୍ବପ୍ନ ଦେଖାନ୍ତି ହେଲେ ସେ ସ୍ବପ୍ନ ବାସ୍ତବରୂପ ନିଏନାହିଁ । ତେଣୁ ଏଥର ବିଧାନସଭା ନିର୍ବାଚନରେ ଯେଉଁପରି ଭାବରେ ନୀତିଶ ଟାର୍ଗେଟ୍‌ କରିବାକୁ ସ୍ବପ୍ନ ଦେଖୁଛନ୍ତି ତାହା ଆଦୌ ହେବ ନାହିଁ । ତେଜସ୍ବୀ କହିଛନ୍ତି, ନୀତିଶ ମନେରଖିବା ଦରକାର ସେ ଯେଉଁ କଲେଜ୍‌ରେ ପାଠ ପଢିଛନ୍ତି ସେ କଲେଜ୍‌ କାହା ଅମଳରେ ନିର୍ମାଣ ହୋଇଥିଲା । ଏମିତିରେ ମିଛ କହି ଅଧିକ ଦିନ ଲୋକଙ୍କୁ ଭ୍ରମରେ ରଖିପାରିବେ ନାହିଁ । ବିହାରରେ ଯେବେ ଲାଲୁଙ୍କ ସରକାର ଥିଲା ସେହି ସମୟରେ ଯେଉଁ ବିକାଶ ହୋଇଛି କାହା ପୂରା ଦୁନିଆ ଜାଣିଛି । ତେଣୁ ଏହାକୁ ନେଇ ହୀନ ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ ।

ମନୋଜ ଝା’ଙ୍କ ଟାର୍ଗେଟ୍‌ରେ ନୀତିଶ

ଆରଜେଡି ସାଂସଦ ମନୋଜ ଝା ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି । କହିଛନ୍ତି, ନୀତିଶ ନିଜକୁ ସୃଷ୍ଟିକର୍ତ୍ତା ଭାବୁଛନ୍ତି । ସେମାନେ ନିଜକୁ ବ୍ରହ୍ମା ବୋଲି ବିବେଚନା କରିବା ଆରମ୍ଭ କରିଛନ୍ତି। ସେମାନେ ଭାବନ୍ତି ଯେ ୨୦୦୫ ପୂର୍ବରୁ ବିଶ୍ୱର ଅସ୍ତିତ୍ୱ ନଥିଲା। ହେଲେ ଏହା ପୂରା ଭୁଲ୍‌ । ଏନଡିଏ ପୂର୍ବରୁ ବି ସରକାର ଥିଲା, ଲୋକଙ୍କ ବିକାଶ ଲାଗି କାମ ହେଉଥିଲା। ତେଣୁ ପ୍ରସଙ୍ଗ ନଥାଏ ଏନଡିଏ ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି । ମୋଟ୍‌ ଉପରେ ବିହାରକୁ ନେଇ ରାଜନୀତି ସରଗରମ ହେଲାଣି । ପୂର୍ବରୁ ଚର୍ଚ୍ଚା ହେଉଥିଲା କି ନୀତିଶ ଏନଡିଏ ମେଣ୍ଟ ଛାଡ଼ି ଇଣ୍ଡି ମେଣ୍ଟରେ ଯୋଗ ଦେବେ । ହେଲେ ସଜସଜ ନୀତିଶ ବିଜେପିର ୭ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପରେ ଏ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।