କନକ ବ୍ୟୁରୋ : ବିହାର ନିର୍ବାଚନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଆକ୍ସନ ମୋଡକୁ ଆସିଛନ୍ତି । ୧୫ ଦିନ ଧରି ଭୋଟର ଅଧିକାର ଯାତ୍ରା କରିବା ପରେ ଆଜି ଦଳର କାର୍ଯ୍ୟକାରିଣୀ ବୈଠକ କରୁଛନ୍ତି । ଏନେଇ ପାଟନାରେ କଂଗ୍ରେସ କାର୍ଯ୍ୟାଳୟ ସଦାକତ ଆଶ୍ରମକୁ ସଜାଯାଇଛି । ଆଜିର ବୈଠକରେ ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ । ବିଶେଷ କରି ମହାଗଠବନ୍ଧନରେ ଆସନ ବୁଝାମଣା ଏହି ବୈଠକରେ ମୁଖ୍ୟ ପ୍ରସଙ୍ଗ ରହିବ । ସେପଟେ ନିର୍ବାଚନୀ ମଇଦାନକୁ କଂଗ୍ରେସ କେଉଁ କେଉଁ ପ୍ରସଙ୍ଗ ନେଇ ଓହ୍ଲାଇବ ତା ଉପରେ ନିଷ୍ପତ୍ତି ହେବ । 

Advertisment

ଏହି ବୈଠକ ପରେ ମହାଗଠବନ୍ଧନ ତରଫରୁ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ବିହାରର ପଛୁଆବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା ପତ୍ର ଜାରି କରାଯିବ  ବୋଲି ସୂଚନା ରହିଛି । ଏଥିରେ ନିର୍ବାଚନ ପରେ ସଂରକ୍ଷଣର ସୀମା ବୃଦ୍ଧି କରିବା, ନିର୍ବାଚନରେ ପଛୁଆବର୍ଗଙ୍କ ଭାଗିଦାରୀ ବଢାଇବା ଭଳି ପ୍ରସଙ୍ଗ ରହିବ ।

ଏହି ବୈଠକକୁ ନେଇ ବିଜେପି କଟାକ୍ଷ କରିଛି । ଦଳର ବରିଷ୍ଠ ନେତା ଶାହନବାଜ ହୁସେନ କହିଛନ୍ତି କି, ପ୍ରଥମେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଦିଲ୍ଲୀରେ ବସୁଥିଲା । ଯେଉଁଥିରେ କଂଗ୍ରେସ ନିର୍ବାଚନରେ ଶୂନ୍ୟରେ ଆଉଟ୍ ହେଉଥିଲା । ଏବେ ବିହାର ବିଧାନସଭା ନିର୍ବାଚନରେ ବି କଂଗ୍ରେସକୁ ଶୂନ୍ୟ ଆସନ ମିଳିବ ।