କନକ ବ୍ୟୁରୋ : ଆଗକୁ ବିହାରରେ ବିଧାନସଭା ନିର୍ବାଚନ ଆସୁଛି । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବିହାର ଦଖଲ କରିବାକୁ ଘନ ଘନ ଗସ୍ତ ସହ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରୁଛନ୍ତି । ସେପଟେ ବିହାରରୁ ଅବୈଦ୍ଧ ଭୋଟରଙ୍କ ନାଗରିକତା ରଦ୍ଦ କରି ସ୍ୱଚ୍ଛ ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗ ମଧ୍ୟ ଅଣ୍ଟା ଭିଡିଛନ୍ତି । ଏସବୁ ଭିତରେ ବିରୋଧୀ ଫାଟକୁ ଦେଖାଇବାକୁ ଏନଡିଏ ଶତଚେଷ୍ଟା କରୁଥିବା ବେଳେ ପଦାରେ ପଡିଛି ଏନଡିଏର ଫାଟ ।
ଏନଡିଏର ବିଧାୟକଦଳ ବୈଠକରେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଓ ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ମଧ୍ୟରେ ଯେଭଳି ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି ତାହା ବିରୋଧୀଙ୍କୁ ଏନଡିଏ ବିରୋଧରେ ପ୍ରଚାର ଜୋରଦାର କରିବାକୁ ସୁଯୋଗ ସୃଷ୍ଟି କରିଛି । ଗ୍ରାମୀଣ କାର୍ଯ୍ୟ ବିଭାଗ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକଙ୍କୁ ନଡାକିବାକୁ ନେଇ ବିଜୟ ସିହ୍ନା ଅଶୋକ ଚୌଧୁରୀଙ୍କ ଉପରେ ବର୍ଷିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଡ଼ଧରଣର ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ।
ବିଜୟ ସିହ୍ନା କହିଥିଲେ କି ମେଣ୍ଟ ଧର୍ମ ପାଳନ କେବଳ ଗୋଟିଏ ସହଯୋଗୀ ଦଳ ନୁହେଁ ବରଂ ମେଣ୍ଟରେ ଥିବା ସମସ୍ତ ସହଯୋଗୀ ଦଳ ପାଳନ କରିବା ଉଚିତ୍ । ଏହାକୁ ନେଇ ବିଜୟ ସିହ୍ନା ଏନଡିଏ ବୈଠକରେ ପ୍ରହଲାଦ ଯାଦଙ୍କ ମାମଲା ଉଠାଇଥିଲେ । ସେ କହିଥିଲେ କି ପ୍ରହ୍ଲାଦ ଯାଦବ ସରକାର ଗଠନ ବେଳେ ଏନଡିଏକୁ ସମର୍ଥନ ଦେଇଥିଲେ । ଏକଥା ଏନଡିଏର ଶୀର୍ଷନେତାମାନେ ପ୍ରଥମରୁ ଅବଗତ ଅଛନ୍ତି । ଗ୍ରାମୀଣ କାର୍ଯ୍ୟ ବିଭାଗର ଗ୍ଲୋବାଲ ଟେଣ୍ଡରିଂକୁ ନେଇ ମଧ୍ୟ ଉଭୟ ମୁହାଁମୁହିଁ ହୋଇଛନ୍ତି ।
ବିଜେପି ବିଧାୟକ ଜ୍ଞାନେନ୍ଦ୍ର ସିଂ ଜାନୁଙ୍କ ସମେତ ଅନ୍ୟ ବିଧାୟକମାନେ ମଧ୍ୟ ଗ୍ଲୋବାଲ ଟେଣ୍ଡରିଂକୁ ନେଇ ଅଶୋକ ଚୌଧୁରୀ ମଧ୍ୟ ଅସହମତ ପ୍ରକାଶ କରିଛନ୍ତି । ବିଧାୟକଙ୍କ କହିବା କଥା ଗ୍ଲୋବାଲ ଟେଣ୍ଡରିଂ ଫଳରେ ନିର୍ବାଚନରେ କ୍ଷତି ହେଉଛି । ଏହାସହ ଏନଡିଏ ବିଧାୟକମାନେ ନଳ ଜଳ ଯୋଜନାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଏନଡିଏର ସମସ୍ତ ନେତା ଉପସ୍ଥିତ ଥିଲେ ।