କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିହାର ରାଜନୀତି । ଏଥର ନୀତିଶଙ୍କୁ କେବଳ ନେଇ ଚର୍ଚ୍ଚା ବଢିଛି ତାହା ନୁହେଁ ବରଂ ତାଙ୍କ ପୁଅ ନିଶାନ୍ତଙ୍କୁ ନେଇ ବି ରାଜନୀତି ବଢିବାରେ ଲାଗିଛି । କାରଣ ସଜସଜ ଚର୍ଚ୍ଚା ହେଉଥିଲା କି ନିଶାନ୍ତ ଖୁବଶୀଘ୍ର ରାଜନୈତିକ ଦଳରେ ଯୋଗ ଦେଇ ସକ୍ରିୟ ରାଜନୀତି କରିବେ ଆଉ ସେହି ଚର୍ଚ୍ଚା ଉପରୁ ଏବେ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି । ଅର୍ଥାତ୍ ନିଶାନ୍ତ ସକ୍ରିୟ ରାଜନୀତିକୁ ଆସିବେ ବୋଲି କୁହାଯାଉଛି । ଯେହେତୁ ଏବେ ନୀତିଶ ଏନଡିଏରେ ଅଛନ୍ତି ତେଣୁ ପୁଅ ରାଜନୀତିକୁ ଆସିଲେ ଏନଡିଏ ଉପରେ କି ପ୍ରଭାବ ପଡ଼ିବ ସେନେଇ ବି ଚର୍ଚ୍ଚା ହେଉଛି । ହେଲେ କୁହାଯାଉଛି କି, ନିଶାନ୍ତଙ୍କୁ ନେଇ ଏନଡିଏ ପକ୍ଷରୁ ସେମିତି କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ହେଲେ ବି ନେତାଙ୍କର କୁଆଡ଼େ ଏନେଇ ସହମତି ରହିଛି ।
ରାଜନୀତିକୁ ଆସିବେ ନିଶାନ୍ତ
ବିରୋଧୀଙ୍କଠୁ ଆରମ୍ଭ କରି ଶାସକ ଦଳରେ ପ୍ରତିକ୍ରିୟା
ନୀତିଶଙ୍କ ପୁଅ ରାଜନୀତିରେ ସାମିଲ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ଦିନଠୁ ଚର୍ଚ୍ଚା ଥମୁନି । ଯେହେତୁ ଏ ବର୍ଷ ଶେଷ ଆଡ଼କୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ତେଣୁ ଏବେଠୁ ରାଜନୀତି ପାରା ବଢିବା ସ୍ବାଭାବିକ କଥା । ନିର୍ବାଚବ ପାଖେଇ ଆସୁଥିବା କାରଣରୁ ନୀତିଶ ବି ଅନେକ ରଣନୀତି କରୁଛନ୍ତି । ତେଣୁ ନିଶାନ୍ତଙ୍କୁ ନେଇ କି ରଣନୀତି କରୁଛନ୍ତି ନିଶାନ୍ତ ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ନିଶାନ୍ତଙ୍କୁ ନେଇ ନୀତିଶ କଣ କହିଲେ ?
କଥା ହେଲା, ନୀତିଶ ସଜସଜ ନିଜ ବାପାଙ୍କ ଜନ୍ମଦିନ ପାଳନ କରିଥିଲେ ବେଶ ଧୁମଧାମରେ । ଆଉ ସେହି କାର୍ଯ୍ୟକ୍ରମରେ ବିହାରର ଅନେକ ବଡ଼ବଡ଼ ନେତା ସାମିଲ ହୋଇଥିଲେ । ନିଶାନ୍ତ ବି କହିଥିଲେ, ଏଥର ନିର୍ବାଚନରେ ମୁଁ ବାପାଙ୍କୁ ସାହାଯ୍ୟ କରିବି । ତାଙ୍କ ଲାଗି ଭୋଟ୍ ମାଗିବି । ନିଜ ଜେଜେବାପାଙ୍କ ଶ୍ରାଦ୍ଧ ଦିବସ ରେ ସେ ଏମିତି ବୟାନ ଦେଇଥିବାରୁ ଖୁବଶୀଘ୍ର ରାଜନୀତିରେ ସେ ସାମିଲ ହେବେ ବୋଲି ଚର୍ଚ୍ଚା ଧରିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ନିଶାନ୍ତଙ୍କ ବୟାନରୁ ଗୋଟିଏ କଥା ସ୍ପଷ୍ଟ, ସେ ରାଜନୀତିରେ ସାମିଲ ହେଉଛନ୍ତି । ଖାଲି ଏତିକି ନୁହେଁ ବରଂ ତାଙ୍କ ପ୍ରଚାର ନୀତିଶଙ୍କ ଲାଗି ବୁଷ୍ଟର ଡୋଜ୍ ହେବ ବୋଲି କୁହାଯାଉଛି ।
କାହିଁକି ନିଶାନ୍ତ ଚର୍ଚ୍ଚାରେ
ବଂଶବାଦ ରାଜନୀତିରେ ବିଶ୍ବାସ ରଖନ୍ତି ନାହିଁ ନୀତିଶ କୁମାର । ହେଲେ ତାଙ୍କ ପୁଅ କେମିତି ରାଜନୀତିରେ ସାମିଲ ହେବେ ସେନେଇ ବି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଗୋଟିଏ ପଟେ ବଂଶବାଦକୁ ସେ ମନା କରୁଛନ୍ତି, ଅନ୍ୟପଟେ ନିଜ ପୁଅ ଲାଗି ନୀତି କେମିତି ବଦଳାଇବେ ତାହା ବି ଚର୍ଚ୍ଚାରେ । କେବଳ ନୀତିଶ ନୁହନ୍ତି ବରଂ ଲାଲୁ ବି କାଳେ ବଂଶବାଦ ରାଜନୀତିକୁ ବିରୋଧ କରୁଥିଲେ । ହେଲେ ଏବେ ନିଜର ଦୁଇ ପୁଅ ରାଜନୀତିରେ ଅଛନ୍ତି ।
ରାଜନୀତିକୁ ନୀତିଶ କେମିତି କଲେ ଏଣ୍ଟ୍ରି ?
ଭାରତରେ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । କିନ୍ତୁ ଏହା ପୂର୍ବରୁ ଦେଶରେ ଦେଖାଦେଇଥିଲା ଛାତ୍ର ଆନ୍ଦୋଳନ । ଯେଉଁଠାରେ,ନୀତିଶ ସାମିଲ ହୋଇଥିଲେ । ଏବଂ ସେବେଠାରୁ ହିଁ ନୀତିଶ ରାଜନୀତିରେ ସାମିଲ ଥିଲେ । ଅବଶ୍ୟ ୧୯୭୭ ମସିହାରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ । ପ୍ରଥମେ ସେ ରାଜନୀତିରେ ସଫଳ ହେଲେ ନାହିଁ କିନ୍ତୁ ପରବର୍ତ୍ତୀ ସମୟରେ ବିଧାନସଭା ନିର୍ବାଚନ ଜିତିଥିଲେ । ପରେ ପରେ କେନ୍ଦ୍ରରେ ମନ୍ତ୍ରୀ ବି ହେଲେ । ୨୦୦୫ରେ ବିହାର ବିଧାନସଭା ଲଢି ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ନୀତିଶଙ୍କ ମୁଖ୍ୟ ମୁଦ୍ଦା ଥିଲା ଲାଲୁଙ୍କ ବିରୋଧରେ ବିଦ୍ରୋହ କରି, ଦୁର୍ନୀତିର କଥା କହି ଭୋଟ୍ ହାତେଇବା । ଯେଉଁଥିରେ ସେ ସଫଳ ବି ହୋଇଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏନଡିଏ ସହ ସାମିଲ ଥିବା ପରେ ବି ନିଜ ବିଚାର ଧାରାରେ କାମ କରୁଥିଲେ ନୀତିଶ । ଖାଲି ଏତିକି ନୁହେଁ ବରଂ ନୀତିଶ କେନ୍ଦ୍ର ଅପେକ୍ଷା ରାଜ୍ୟ ରାଜନୀତିରେ ବେଶୀ ସକ୍ରିୟ ଥିଲେ । ତେଣୁ ବାରମ୍ବାର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ ନୀତିଶ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଲଗାତାର ୧୯ ବର୍ଷ ହେଲାଣି ପାୱର କରିଡରରେ ରହି ବିହାରରେ ରାଜନୀତି କରୁଛନ୍ତି ନୀତିଶ । ଲଗାତାର ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି । ତେଣୁ ଏଥର ନିର୍ବାଚନରେ ସେ ଚୌକି ଯିବ କି ରହିବ ତାହା ସମୟ କହିବ ।
ନିଶାନ୍ତଙ୍କ ଲାଗି କେମିତି ରହିବ ରାଜନୀତି ?
ଚର୍ଚ୍ଚା ପରେ ଯଦି ବିହାର ରାଜନୀତିରେ ନିଶାନ୍ତ ସାମିଲ ହୁଅନ୍ତି ତାହାଲେ ସେ ସଫଳ ହେବେ କି ବିଫଳ ହେବେ ତାହାକୁ ନେଇ ବି ଚର୍ଚ୍ଚା ଜୋର । ହେଲେ ଏଥିଲାଗି ନୀତିଶଙ୍କୁ ବଡ଼ ପଦକ୍ଷେପ ନେବାକୁ ପଡ଼ିବ । ଆଉ ଭୋଟର ଯଦି ଗ୍ରହଣ କରିବେ ତାହାଲେ ନୀତିଶଙ୍କ ପରି ଲମ୍ବା ସମୟ ଧରି ନିଶାନ୍ତ ବି ରାଜନୀତିର ଗୋଟି ବେଶ ଭଲରେ ଚଲାଇପାରିବେ । ସୂତ୍ର ଅନୁସାରେ, ନିର୍ବାଚନର ଠିକ୍ ୬ ମାସ ପୂର୍ବରୁ ନିଶାନ୍ତଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇବେ ନୀତିଶ । ଆଉ ଲୋକଙ୍କ ଆସ୍ଥା ଜିତାଇବାକୁ ଚେଷ୍ଟା ବି କରିବେ ।
ମୋଟ୍ ଉପରେ ବିହାର ରାଜନୀତିକୁ ଯିଏ ପାଖରୁ ଦେଖିଛି ସେ ହିଁ ଜାଣିପାରିବେ କି ନୀତିଶ ମାଷ୍ଟର ଷ୍ଟ୍ରୋକ ଦେବାରେ କେତେ ମାହିର । ଆଉ ଏବେ ନିଜ ପୁଅକୁ ରାଜନୀତିରେ ଆଣିବାର ଉଦ୍ଦେଶ୍ୟ ହେଉଛି ଲମ୍ବା ସମୟ ଧରି ବିହାର ଲୋକଙ୍କୁ ଶାସନ କରିବା । ଅବଶ୍ୟ ନୀତିଶ କ୍ଷମତା ଲାଗି କେତେଥର ଦଳ ବଦାଳାଇଛନ୍ତି ତାହା ଆମେ ସମସ୍ତେ ଜାଣନ୍ତି । ହେଲେ ଏବେ ଏନଡିଏରେ ସାମିଲ ଥାଇ କେମିତି ନିଜ ପୁଅକୁ ରାଜନୀତିର ଫ୍ରଣ୍ଟ ଲାଇନକୁ ଆଣୁଛନ୍ତି ଏବଂ କେତେ ସଫଳତା ମିଳୁଛି ତାହା ବି ସମୟ କହିବ । ସେପଟେ, ନୀତିଶଙ୍କ ବାଟ ଓଗାଳିବାକୁ ମହାଗଠବନ୍ଧନ ଓ ଆରଜେଡି ଜୋରଦାର ପ୍ରସ୍ତୁତ ହେଉଛନ୍ତି । ତେଣୁ ଏଥର ନିର୍ବାଚନରେ ବିହାରରେ କି ଖେଳ ହେଉଛି ତାହାକୁ ପୁରା ଅପେକ୍ଷା କରିଥିବା କୁହାଯାଉଛି । ଏପଟେ ବିହାର ନିର୍ବାଚନ ତାରିଖ ଘୋଷଣାକୁ ଅନେକ ଦିନ ବାକିଥିବାରୁ ନୀତିଶ ରୁଦ୍ଧ ଦ୍ବାର ବୈଠକ କରୁଥିବା ବି ଚର୍ଚ୍ଚା ।