କନକ ବ୍ୟୁରୋ: ସଅଳ ବନ୍ଧା ହେବ ନୀଳଚକ୍ର ବାନା । ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ ପତିତପାବନ ବାନା ବନ୍ଧାହେବ । କାର୍ତ୍ତିକ ମାସରେ ଅସମ୍ଭବ ଭିଡ ଯୋଗୁଁ ସପ୍ତାହେ ପର୍ଯ୍ୟନ୍ତ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନରେ କରାଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଚୁନରା ସେବକମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ୱଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଧ୍ଵଜା ବନ୍ଧା ଦେଖିବା ପାଇଁ ମନ୍ଦିର ଭିତରେ ଓ ସିଂହଦ୍ଵାର ବାହାର ରାସ୍ତାରେ ବହୁତ ଭକ୍ତ ଗହଳି କରୁଛନ୍ତି । ତେଣୁ ସପ୍ତାହେ ପର୍ଯ୍ୟନ୍ତ ଅପରାହ୍ନରେ ଧ୍ଵଜା ବନ୍ଧା ସମାପନ କରିବାକୁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚୁନରା ସେବକଙ୍କ ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।