କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ବାରଣ୍ଡାରେ ରୋଗୀ ଚିକିତ୍ସା ଚାଲିଥିବା ବେଳେ ଓାର୍ଡରେ ଖାଲି ପଡିଛି ରୋଗୀଙ୍କ ଶଯ୍ୟା । ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାର ବିଭିନ୍ନ ଅଂଚଳ ସମେତ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡରୁ ରୋଗୀ ଚିକିତ୍ସା ପାଇଁ ଆସନ୍ତି । ଅବ୍ୟବସ୍ଥା ଯୋଗୁଁ ରୋଗୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।

ମେଡିକାଲ ବାରଣ୍ଡାରେ ରୋଗୀ ଶୋଇଛନ୍ତି, ଡାକ୍ତର ମଧ୍ୟ ବୁଲି ବୁଲି ଚିକିତ୍ସା କରୁଛନ୍ତି । ତଳେ ବସି ନର୍ସମାନେ ମଧ୍ୟ ଔଷଧ ଓ ସାଲାଇନ ଲଗାଉଛନ୍ତି ।   କାହାକୁ ଜ୍ୱର ତ ଆଉ କିଏ ରାକ୍ତ ହୀନତା ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ ଆସିଛନ୍ତି । ହେଲେ ମେଡ଼ିକାଲରେ ଶଯ୍ୟା ନାହିଁ କହି ବାରଣ୍ଡାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଅନ୍ୟପଟେ ଓାର୍ଡରେ ଖାଲି ପଡିଛି ଶଯ୍ୟା । ସେଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇନଥିବାରୁ ବାରଣ୍ଡାରେ ଅସ୍ୱାସ୍ଥ୍ୟକର ପରିବେଶରେ ରୋଗୀ ଚିକିତ୍ସିତ ହେଉଛନ୍ତି  । 

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମିର ଅନେକ ବିକାଶ ହୋଇଛି । ବର୍ତ୍ତମାନ ରୋଗୀଙ୍କ ପାଇଁ ୩୩୦ଟି ଶଯ୍ୟା ରହିଥିବା ବେଳେ ମାତୃ ଓ ଶିଶୁ ଚିକିତ୍ସାଳୟରେ ମଧ୍ୟ ପ୍ରସୁତୀ ଏବଂ ଶିଶୁ ରୋଗୀଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା ରହିଛି ତଥାପି ତଳେ ଶୋଉଛନ୍ତି ରୋଗୀ । ଅନ୍ୟପଟେ ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲରେ ସେବା ଆରମ୍ଭ କରିବା ପାଇଁ ଦାବି ହୋଇଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଶୀଘ୍ର ଏଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।