କନକ ବ୍ୟୁରୋ: ରୋଗୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ କାର୍ଡର ବ୍ୟବସ୍ଥା କରିଛନ୍ତି । ବିଜେଡି ବିଏସକେଓ୍ୱାଇ କରିଥିବାବେଳେ ବିଜେପି ଶାସନକୁ ଆସିବା ପରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛି । କିନ୍ତୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ବଢିଲାଣି ସମସ୍ୟା । ଧିରେ ଧିରେ ରାଜନୀତି ବି ତୀବ୍ର ହେବାରେ ଲାଗିଛି ।
ଜୀବନ ଓ ମୃତ୍ୟୁ ଭିତରେ ସଂଗ୍ରାମ କରୁଛନ୍ତି ଭଦ୍ରକର ପ୍ରମୋଦ ଦାସ । ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ପ୍ରମୋଦ। କିନ୍ତୁ କ୍ୟାନ୍ସର ପରଠାରୁ ସବୁକିଛି ଯେମିତି ବଦଳିଯାଇଛି । ମାତ୍ର ଦେଢ ବର୍ଷ ଭିତରେ ସବୁ ଜମିବାଡି ବିକ୍ରି ସରିଲାଣି । କେମୋ ଥେରାପି ସାଙ୍ଗକୁ ଇମିନ୍ୟୁ ଥେରାପି ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ମିଳିଯାଉଥିଲା । ଆୟୁଷ୍ମାନ ଭାରତ ଯୋଜନାରେ କିଛିଦିନ ଇମିନ୍ୟୁ ଥେରାପିର ସୁବିଧା ମିଳିଲା, କିନ୍ତୁ ହଠାତ ଏହାକୁ ବି ବନ୍ଦ କରିଦିଆଯାଇଛି । ୨୮ ଦିନରେ ଥରେ ଇମିନ୍ୟୁ ଥେରାପି ନେବାକୁ ପଡୁଛି । ଏହି ବାବଦକୁ ୩୭ ହଜାରରୁ ୩୯ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ପ୍ରମୋଦ ।
ଆସ୍ୟୁରାନ୍ସ ଓ ଇନ୍ସ୍ୟୁରାନ୍ସ ଭିତରେ ଛନ୍ଦି ହୋଇପଡିଛନ୍ତି ସାଧାରଣ ଲୋକ । ଏହି ପ୍ରସଙ୍ଗରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଗୋଲଟେବୁଲ ବୈଠକ । ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବୈଠକରେ ସାମିଲ ହୋଇଥିଲେ ବିଜେଡି , କଂଗ୍ରେସ , ବାମ ଦଳ , ମେଡିକାଲ ସଂଘ ଓ ବହୁ ସାମାଜିକ ସଙ୍ଗଠନ । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିଗିଡିଯିବା ସହ ସ୍ୱାସ୍ଥ୍ୟ କାର୍ଡ ବହୁ ଚିନ୍ତା ବଢାଇଛି ବୋଲି ଅଭିଯୋଗ ହୋଇଛି । ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ଅନ୍ୟପଟେ ଘରୋଇ ଡାକ୍ତରଖାନା ସଂଘ ବି ସ୍ୱୀକାର କରିଛି ଯେ, ବିଭାଗୀୟ ଅନିୟମିତତା ପାଇଁ ସମସ୍ୟା ବଢୁଛି । ଗତ ୩ ମାସ ମଧ୍ୟରେ ରାଜ୍ୟର ୪୦ଟି ଡାକ୍ତରଖାନାର ୨ହଜାର ୩୪ କୋଟି ଟଙ୍କା ରାଜ୍ୟ ସରକାର ଉପରେ ବାକି ରହିଛି । ଅନ୍ୟପଟେ ଏହି ବୈଠକକୁ ବିଲୁଆ ବିଚାର କହି କଟାକ୍ଷ କରିଛି ରାଜ୍ୟ ବିଜେପି। ସ୍ୱାସ୍ଥ୍ୟ କାର୍ଡକୁ ନେଇ ଅସନ୍ତୋଷ ବଢିଲାଣି । ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଧ୍ୟାନ ନଦେଲେ ଏହା ସରକାରଙ୍କ ପାଇଁ ଅଡୁଆ ବଢ଼ାଇପାରେ ।