କନକ ବ୍ୟୁରୋ: ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେବି ଅବହେଳିତ ଅବସ୍ଥାରେ ପାଟଦେବୀ ଡ଼ଙ୍ଗର । ଆଗରୁ ଯେଉଁଠି ପର୍ଯ୍ୟଟକଙ୍କ ଗହଳି ଲାଗୁଥିଲା । ଆଜି ସେଠାରେ ଖାଁ ଖାଁ ଲାଗୁଛି । ପାହାଡ଼, ସୁନ୍ଦର ଗଛ ଲତା ସ୍ଥାନ ନେଇଛି ବଣବୁଦା । ଅସାମାଜିକ ବ୍ୟକ୍ତି ଏହାକୁ ନିଜ ଆଡ୍ଡାସ୍ଥଳୀ ବନେଇଛନ୍ତି । ଫଳରେ ପର୍ଯ୍ୟଟକ ଏଠାରୁ ନିଜ ମୁହଁ ଫେରା ଦେଇଛନ୍ତି ।
ଦିନେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ଥିଲା ପାଟଦେବୀ ଡ଼ଙ୍ଗର । ବଣ ପାହାଡ଼ର ମନଲୋଭା ପରିବେଶରେ ସମୟ ବିତାଇବାକୁ କାହିଁ କେତେ ଦୂରରୁ ଛୁଟି ଆସୁଥିଲେ ପର୍ଯ୍ୟଟକ । ୨୦୧୮-୧୯ରେ ସହରୀ ବନୀକରଣ ଯୋଜନାରେ ବନବିଭାଗ ପକ୍ଷରୁ ଉନ୍ନତିକରଣ ହୋଇଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପର୍ଯ୍ୟଟନସ୍ଥଳୀ ଏବେ ଅବହେଳିତ ଅବସ୍ଥାରେ । ନା ଆଉ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ନା ଆଗଭଳି ଆଉ ଗହଳି ଅଛି । ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପାଟଦେବୀ ଡ଼ଙ୍ଗର । ସନ୍ଧ୍ୟା ହେଲେ ଏଠାରେ ମଦ ମାଂସର ଆସାର ଜମୁଛି ।
୨୦ ହେକ୍ଟର ପରିମିତ ଜମିରେ ନିର୍ମିତ ଏହି ପର୍ଯ୍ୟଟନସ୍ଥଳୀ । ଏଠାରେ ୧୨୮ ପ୍ରଜାତିରୁ ଅଧିକ ବୃକ୍ଷଲତା ଓ ଔଷଧୀୟ ଗଛ ରହିଛି । ପୂର୍ବରୁ ଔଷଧୀୟ ବୃକ୍ଷ ଗୁଡ଼ିକରେ ନାମ ଲେଖାଯାଇଥିଲା । କିନ୍ତୁ ତାହା ଏବେ ଆଉ ଜଣାପଡୁନି। ଡ଼ଙ୍ଗର ଉପରେ ଥିବା କଳାକୃତି ଗୁଡ଼ିକ ବି ନଷ୍ଟ ହେବାକୁ ବସିଲାଣି । ତେଣୁ ଏହାର ମରାମତି ପାଇଁ ଦାବି ହୋଇଛି । ଦିନେ ସୁନ୍ଦର ପରିବେଶ ପାଇଁ ଏଠାରେ ପର୍ଯ୍ୟଟକଙ୍କ ଗହଳି ଜମୁଥିଲା । ଏବେ ଖାଁ ଖାଁ ପଡ଼ିଛି ପର୍ଯ୍ୟଟନସ୍ଥଳୀ । ପାହାଡ଼ ଓ ସୁନ୍ଦର ଗଛ ଲତାର ସ୍ଥାନ ନେଇଛି ବଣବୁଦା ।