କନକ ବ୍ୟୁରୋ : ନବନିର୍ମିତ ବାଲେଶ୍ଵର ବସଷ୍ଟାଣ୍ଡରେ ସବୁଥାଇ କିଛି ନଥିଲା ପରି ଚାଲିଛି । ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଟିକୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହୋଇଛି। ପୌରସଂସ୍ଥା କି ରାଜ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି । ଆଉ ଦୁଇ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁ ସ୍ଥିତି ଆହୁରି ଜଟିଳ ହୋଇଛି ।
୨୦୨୧ରେ ପୂର୍ତ୍ତ ବିଭାଗ ପକ୍ଷରୁ ବାଲେଶ୍ବର ବସଷ୍ଟାଣ୍ତ ନିର୍ମାଣ ଆରମ୍ଭ କରାଯାଇ ୨୦୨୩ରେ ପୌରସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । ୧୨ ଏକର ୪୦ ଡିସିମିଲ ଜାଗାରେ ନିର୍ମିତ ବସଷ୍ଟାଣ୍ଡ ପାଇଁ ୯ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ଆଜିଯାଏ ଲୋକାର୍ପଣ ହୋଇନାହିଁ । ପ୍ରତୀକ୍ଷା ଗୃହ, ଶୌଚାଳୟ, ଟିକେଟ କାଉଣ୍ଟର ଓ ହୋଟେଲ୍ ବା ରେଷ୍ଟୁରାଣ୍ଟ ପାଇଁ ୮ଟି ଦୋକାନ ଘର ଥିଲେ ବି ସବୁଠି ତାଲା ପଡ଼ିଛି । ଅତିରିକ୍ତ କୋଟିକୋଟି ଟଙ୍କାରେ ନିର୍ମିତ ୫୨ଟି ଦୋକାନ ଥିବା ମାର୍କେଟ କମ୍ପ୍ଲେକ୍ସ ବି ଖୋଲିନାହିଁ ଯାତ୍ରୀ କିଛି ସୁବିଧା ପାଉନାହାନ୍ତି ।
ବାଲେଶ୍ବର ବସଷ୍ଟାଣ୍ଡକୁ ବିଜୁଳି ସଂଯୋଗ ହୋଇନାହିଁ , ହୁକ୍ ପକାଇ ବିଜୁଳି ଚୋରି କରାଯାଉଛି । ଶୌଚାଳୟ ଥିଲେ ଖୋଲୁନାହିଁ । ଦୁଇ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁ ବସଷ୍ଟାଣ୍ଡ କୋଠାକୁ ଉଭୟ ସଂଘ ଅଧାଅଧା କରି ନିଜ ଦଖଲକୁ ନେଇଯାଇଛନ୍ତି । ଏସଂପର୍କରେ ଘରୋଇ ବସ୍ ମାଲିକ ସଂଘ ସହ-ସମ୍ପାଦକକୁ ପଚରିବାରୁ ବିବାଦ ଓ ପ୍ରଶାସନର ସ୍ଥାଣୁତା ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି ।
ବାଲେଶ୍ବର ବସଷ୍ଟାଣ୍ଡକୁ ପ୍ରତିଦିନ ପ୍ରାୟ ୩୦୦ ବସ୍ ଓ ୫୦୦୦ରୁ ଅଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି । ୧୦ ହଜାର ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ପେଟପାଟଣା ପାଇଁ ବସଷ୍ଟାଣ୍ଡ ଉପରେ ନିର୍ଭର କରୁଛନ୍ତି କିନ୍ତୁ ପୌରସଂସ୍ଥା କି ସରକାର ଦୃଷ୍ଟି ଦେଉନଥିବାରୁ ସବୁଥାଇ ବି ସମସ୍ୟା ଲାଗିରହିଛି ।