କନକ ବ୍ୟୁରୋ: ମଝି ସମୁଦ୍ରରେ ଜାହାଜରେ ଲାଗିଲା ନିଆଁ । ଜୀବନ ବିକଳରେ ସମୁଦ୍ରକୁ ଡେଇଁଲେ ଲୋକ । ଇଣ୍ଡୋନେସିଆରେ ଘଟିଥିବା ଏହି ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୨୮୦ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜରେ ନିଆଁ ଲାଗିଯିବାରୁ ୫ ଜଣଙ୍କ ମୃତ୍ୟୁ ଓ ୧୮ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ଜାହାଜର ନାମ କେଏମ ବାର୍ସିଲୋନା ଭିଏ ବୋଲି ଜଣାପଡିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଜାହାଜରେ ନିଆଁ ଲାଗିଯାଇଥିବା ବେଳେ କଳା ଧୁଆଁର ଆସ୍ତରଣ ଛାଇ ଯାଉଛି ।

Advertisment

ଜୀବନ ବିକଳରେ କିଛି ଲୋକ ଲାଇଫ ଜ୍ୟାକେଟ ପିନ୍ଧି ସମୁଦ୍ର ଭିତରକୁ ଡେଇଁପଡୁଛନ୍ତି । ଆଉ କିଛି ଲୋକ ଟ୍ୟୁବ ସହାୟତାରେ ସମୁଦ୍ରରେ ପହଁରି କୂଳକୁ ଆସିବାକୁ ଉଦ୍ୟମ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଖବର ପାଇବା ପରେ ତୁରନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ତିନୋଟି ଜାହାଜ ଘଟଣାସ୍ଥଳକୁ ମୁତୟନ କରାଯାଇଥିଲା । ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୫ ଜଣ ଯାତ୍ରୀଙ୍କ ଜୀବନ ଯାଇଛି ଓ ଅନେକ ଆହତ ହୋଇଥିବା ଖବର ମିଳିଛି ।