କନକ ବ୍ୟୁରୋ: ଜାତିସଂଘ ସୁରକ୍ଷା ପରିଷଦରେ ଉଠିଲା କାଶ୍ମୀର ପ୍ରସଙ୍ଗ । ପାକିସ୍ତାନର ପୋଲ୍ ଖୋଲିଦେଲେ ଭାରତୀୟ କୂଟନୀତିଜ୍ଞ । କାଶ୍ମୀର ପ୍ରସଙ୍ଗ ଉଠିବାରୁ ପାକିସ୍ତାନ ପ୍ରତିନିଧିଙ୍କ ମୁହଁ ବନ୍ଦ କରିଦେଲେ । କାଶ୍ମୀରକୁ ନେଇ ପାକିସ୍ତାନ ସବୁବେଳେ ଭାରତ ବିରୋଧରେ ଡାହା ମିଛ କହିଆସୁଛି ବୋଲି କହିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ପର୍ବତନେନୀ ହରିଶ୍ ।
ଜାତିସଂଘରୁ ପାକିସ୍ତାନକୁ ତୀବ୍ର ସମାଲୋଚନା କରିଛନ୍ତି ପର୍ବତନେନୀ ହରିଶ୍ । ସେ କହିଛନ୍ତି , ’ପାକିସ୍ତାନ ଏଭଳି ଦେଶ ଯିଏ ନିଜ ଲୋକଙ୍କ ଉପରେ ବୋମା ପକାଇ ମାରୁଛି । ଯେଉଁ ଦେଶ ନିଜ ଲୋକଙ୍କ ଉପରେ ବୋମା ପକାଏ ଏବଂ ଯେଉଁ ଦେଶରେ ୪ ଲକ୍ଷ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି ତାକୁ ଅନ୍ୟ ଦେଶ କ’ଣ ବା ଶିଖାଇବେ । ସେ ତ କାହା କଥା ଶୁଣିବା ଅବସ୍ଥାରେ ନାହିଁ । ନିଜର ଦୋଷ ଥାଇ ସବୁବେଳେ କାଶ୍ମୀରକୁ ନେଇ ଭାରତ ଉପରେ ମିଥ୍ୟା ପ୍ରଚାର କରୁଛି । ଅଯଥା ଭ୍ରମିତ କରାଉଛି । ଭାରତ ବିରୋଧରେ ପ୍ରତିଟି କଥାକୁ ଅତିରଞ୍ଜିତ କରି ଉପସ୍ଥାପନ କରୁଛି’ ।
କାଶ୍ମୀରର ମହିଳାମାନେ ଦୀର୍ଘ ବର୍ଷ ଧରି ହିଂସାର ଶିକାର ହୋଇଆସୁଥିବା ନିକଟରେ ପାକିସ୍ତାନର ଜଣେ ଅଧିକାରୀ କହିଥିଲେ । ଏହି କଥାକୁ ଦୋହରାଇ ପାକିସ୍ତାନ ଅଧିକାରୀଙ୍କ ମୁହଁ ଚୁପ୍ କରିଦେଇଛନ୍ତି ହରିଶ୍ । ଏହାସହ ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛିନ୍ନ ଅଙ୍ଗ ଥିଲା ଏବଂ ରହିବ ବୋଲି ଜୋର ଦେଇ କହିଛନ୍ତି ହରିଶ୍ ।
ହରିଶଙ୍କ ଅଭିଯୋଗ , ପ୍ରତିବର୍ଷ ପାକିସ୍ତାନ ମିଥା ଅଭିଯୋଗ କରୁଛି । ବିଶେଷ କରି ଜମ୍ମୁ- କାଶ୍ମୀରକୁ ନେଇ ସାରା ଦୁନିଆକୁ ଭୁଆଁ ବୁଲାଉଇବାକୁ ଚେଷ୍ଟା କରୁଛି । କିନ୍ତୁ ଭାରତର ରେକର୍ଡରେ କୌଣସି ଦାଗ ନାହିଁ । ବରଂ ପାକିସ୍ତାନ ନିଜେ ନିଜ ଦେଶର ଲୋକଙ୍କୁ ମାରୁଛି । ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେଉଛି । ୧୯୭୧ରେ ପାକିସ୍ତାନ ଅପରେସନ୍ ସର୍ଚ୍ଚଲାଇଟ୍ ଆରମ୍ଭ କରିଥିଲା ଏବଂ ନିଜ ସେନାକୁ ୪ଲକ୍ଷ ମହିଳା ନାଗରିକଙ୍କ ନରସଂହାର ଓ ଗଣବଳାତ୍କାର ଯୋଜନାବଦ୍ଧ ଅଭିଯାନକୁ ମଞ୍ଜୁରି ଦେଇଥିଲା ।ପାକିସ୍ତାନର ଏହି କଳା କାରନାମା ବିଷୟରେ ସାରା ଦୁନିଆ ଜାଣିଛି । ଏ ଅଭିଯାନରେ ପାକିସ୍ତାନ ସେନା ପୂର୍ବ ପାକିସ୍ତାନ ମାନେ ବର୍ତ୍ତମାନର ବାଂଲାଦେଶରେ ଲୋକଙ୍କ ଉପରେ ଆଗ ଦାଉ ସାଝିଥିଲା । ଯେଉଁଥିରେ ୩୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ମହିଳା ନାଗରିକଙ୍କୁ ଦୁଷ୍କର୍ମ କରାଯାଇଥିଲା ।
ଖାଲି ସେତିକି ନୁହେଁ ପାକିସ୍ତାନର ଖାଇବର ପଖତୁନଖ୍ବାର ତିରାହ ଘାଟିରେ ପାକିସ୍ତାନୀ ସେନା ଗତ ସେପ୍ଟେମ୍ବର ୨୨ ତାରିଖରେ ବୋମା ବର୍ଷାଇଥିଲା । ଏଥିରେ ୩୦ ଜଣଙ୍କ ଜୀବନ ଯାଇଥିଲା । ଏହି ଆକ୍ରମଣ ଆତଙ୍କବାଦୀ ସଙ୍ଗଠନ ତେହରିକ୍- ଏ – ତାଲିବାନ୍ ପାକିସ୍ତାନକୁ ଟାର୍ଗେଟ କରୁଥିବା କହୁଥିବାବେଳେ ସାଧାରଣ ଲୋକ କିନ୍ତୁ ବଳି ପଡ଼ିଥିଲେ। ସ୍ଥାନ ଖାଲି କରିବାକୁ ଲୋକଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନ ଏହି ଘଟଣାକୁ କଡ଼ା ନିନ୍ଦା କରିଥିଲା । ଏହାକୁ ନେଇ ସାରା ବିଶ୍ବରେ ପାକିସ୍ତାନ ବିରୋଧରେ ବିରୋଧର ସ୍ବର ଉଠିଥିଲେ ବି ପାକିସ୍ତାନର ପ୍ରକୃତି ବଦଳୁନି ।
ଏହା ପୂର୍ବରୁ ପାକିସ୍ତାନ ସରକାର ଭାରତ ସରକାରଙ୍କ ସହ ଆଲୋଚନା ପାଇଁ କହୁଥିଲେ ବି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସଫା ସଫା ମନା କରିଥିଲେ । ଏକା ସଙ୍ଗେ ରକ୍ତପାତ ଓ ଆଲୋଚନା ଅସମ୍ଭବ । ଆଲୋଚନା ପାଇଁ ପ୍ରଥମ ଅସ୍ତ୍ର ଛାଡ଼ିବାକୁ ପଡ଼ିବ ବୋଲି ସ୍ପଷ୍ଟ କହିଥିଲେ ଜୟଶଙ୍କର । ଯାହାକୁ ନେଇ ଅନେକ ଦେଶ ଭାରତକୁ ସମର୍ଥନ କରିଥିଲେ।