କନକ ବ୍ୟୁରୋ: ବଦଳିଲା ସଂସଦର ମୌସୁମୀ ଅଧିବେଶନ ତାରିଖ । ଜୁଲାଇ ୨୧ରୁ ଅଗଷ୍ଟ ୧୨ ଭିତରେ ବସିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଏବେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଶେଷ ହୋଇଯାଇଥାଏ । ହେଲେ ଏଥର କିନ୍ତୁ ମୌସୁମୀ ଅଧିବେଶନ ଅଗଷ୍ଟ ୧୫ ତାରିଖ ପରେ ମଧ୍ୟ ଚାଲିବ । କେନ୍ଦ୍ରମନ୍ତ୍ରୀ ରିଜିଜୁଙ୍କ କହିବା ମୁତାବକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମୌସୁମୀ ଅଧିବେଶନର ଏହି ନୂଆ ତାରିଖକୁ ମଞ୍ଜୁରି ଦେଇଛନ୍ତି । ଯାହାକି ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ କି ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟ ସକାଳ ୧୧ଟାରୁ ଆରମ୍ଭ ହେବ ।
The Hon’ble President of India has approved the proposal of the Government to convene the Monsoon Session of Parliament from 21st July to 21st August, 2025. In view of the Independence Day celebrations, there will be no sittings on the 13th and 14th of August. pic.twitter.com/ReWs8T7Czk
— Kiren Rijiju (@KirenRijiju) July 2, 2025
ଏଥର ରାଜନୈତିକ ଦୃଷ୍ଟିକୋଣରୁ ସଂସଦର ମୌସୁମୀ ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା, ପହଲଗାମ୍ ଆକ୍ରମଣ, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏବେ ସଂସଦର ଅଧିବେଶନ ବସିବାକୁ ଯାଉଛି । ଏହା ଭିତରେ ବିରୋଧୀ ମଧ୍ୟ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିଲେ । ତେଣୁ ଏଥର ପହଲଗାମ୍ ଆକ୍ରମଣ, ଅପରେସନ୍ ସିନ୍ଦୂର, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଆଦି ପ୍ରସଙ୍ଗରେ ଗୃହ ସରଗରମ ହୋଇପାରେ ।