କନକ ବ୍ୟୁରୋ: ହଙ୍ଗାମା..... ଗଣ୍ଡଗୋଳ....ବିରୋଧ.... । ଏଥର ମୌସୁମୀ ଅଧିବେଶନ ହଙ୍ଗାମାରୁ ଆରମ୍ଭ ହେଇ ହଙ୍ଗାମାରେ ଶେଷ ହେଇଛି । ଆଉ ନଷ୍ଟ ହେଇଛି ଲୋକଙ୍କର କୋଟି କୋଟି ଟଙ୍କା । ଯେଉଁ ସଂସଦରେ ଲୋକଙ୍କ ବିଷୟରେ ଚର୍ଚ୍ଚା ହେବା କଥା, ବିଭିନ୍ନ ବିଲକୁ ନେଇ ଆଲୋଚନା ହେବା କଥା, ସେହି ସଂସଦରେ କିନ୍ତୁ କେବଳ ହଙ୍ଗାମା ଦେଖିବାକୁ ମିଳିଛି । ଯାହା ଫଳରେ ଆପଣ ଦେଉଥିବା ଟ୍ୟାକ୍ସ ଆକାରରେ ଟଙ୍କା ପାଣିରେ ପଡ଼ିଛି ।
ଏଥର ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ତାରିଖରୁ ଆରମ୍ଭ ହେଇଥିଲା, ଆଉ ଅଗଷ୍ଟ ୨୧ ଥିଲା ଶେଷ ଦିନ । ମାସେ ଭିତରେ ୧୨୦ ଘଣ୍ଟା ଲୋକସଭା ଚାଲିବା ନେଇ ସମୟ ଧାର୍ଯ୍ୟ ହେଇଥିଲା । ହେଲେ ଚାଲିଲା କିନ୍ତୁ କେବଳ ୩୭ ଘଣ୍ଟା । ଲୋକସଭାର ବହୁମୂଲ୍ୟ ୮୩ ଘଣ୍ଟା ବର୍ବାଦ ହେଲା ଆଉ ତା ସହିତ ଲୋକଙ୍କର ଟଙ୍କା ମଧ୍ୟ ନଷ୍ଟ ହେଲା । ସେହିପରି ରାଜ୍ୟସଭାରେ ମଧ୍ୟ ଏଥର ଚର୍ଚ୍ଚା ପାଇଁ ୧୨୦ ଘଣ୍ଟା ସମୟ ରଖାଯାଇଥିଲା । ହେଲେ ଏ ମାସେ ଭିତରେ କିନ୍ତୁ ରାଜ୍ୟସଭା କେବଳ ୪୭ ଘଣ୍ଟା କାମ କରିପାରିଛି ।
ତେବେ ସଂସଦର ମୌସୁମୀ ଅଧିବେଶନର ଖର୍ଚ୍ଚ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ । ଲୋକସଭାର ୮୩ ଘଣ୍ଟା ବର୍ବାଦ ହେବା ୧୨୪ କୋଟି ଟଙ୍କାର ବର୍ବାଦ ହେବା ସହ ସମାନ । ସେହିପରି ରାଜ୍ୟସଭା ଠିକ୍ ଢଙ୍ଗରେ କାମ ନ କରିପାରିବା ଫଳରେ ୮୦ କୋଟି ଟଙ୍କା ବର୍ବାଦ ହୋଇଛି । ଦୁଇଟି ଯାକକୁ ମିଶାଇ ଦେଲେ ସଂସଦ ଠିକ୍ ଭାବେ କାମ ନ କରିବାରୁ ମୋଟ ୨୦୪ କୋଟି ଟଙ୍କା ବର୍ବାଦ ହୋଇଛି ।
ଆଶ୍ଚର୍ଯ୍ୟର କଥା ହେଲା, ଜୁଲାଇ ୨୪ ତାରିଖରେ ଲୋକସଭା ମାତ୍ର ୧୨ ମିନିଟ୍ ଚାଲିପାରିଥିଲା । ସେହିପରି ଅଗଷ୍ଟ ୧ ତାରିଖରେ ମାତ୍ର ୧୨ ମିନିଟ୍, ଜୁଲାଇ ୨୩ ତାରିଖରେ ମାତ୍ର ୧୮ ମିନିଟ୍ ଚାଲିଥିଲା ଲୋକସଭା । ସେହିପରି ଅଗଷ୍ଟ ୪ ତାରିଖରେ ୨୪ ମିନିଟ୍ କାମ କରିବା ପରେ ଲୋକସଭାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା । ମାସେ ଭିତରେ ମାତ୍ର ୫ ଦିନ ଲୋକସଭା ଘଣ୍ଟାଏରୁ ଅଧିକ ସମୟ ଚାଲିଥିଲା । ଆଉ ବାକି ଦିନ ମାତ୍ର କେଇ ମିନିଟ୍ ଭିତରେ ଲୋକସଭାର କାମ ହୋଇପାରିନଥିଲା ।
ଆପଣ ଜାଣିଥିବେ ଆମ ଦେଶର ଅଧିକାଂଶ ସାଂସଦ କୋଟିପତି । ବର୍ତ୍ତମାନ ସଂସଦରେ ଥିବା ୯୩ ପ୍ରତିଶତ ସାଂସଦ କୋଟିପତି ହେଇଥିବାବେଳେ, ସେମାନେ ମାସକୁ ଲକ୍ଷେରୁ ଅଧିକ ଟଙ୍କା ଦରମା ପାଉଛନ୍ତି । ହେଲେ ପ୍ରଶ୍ନ ଉଠୁଛି, କୋଟିପତି ସାଂସଦମାନେ ଲୋକଙ୍କ ଟଙ୍କାକୁ କେମିତି ଏମିତି ବର୍ବାଦ କରିପାରୁଛନ୍ତି?