କନକ ବ୍ୟୁରୋ : ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ସଂସଦରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେଉଛି । ଓ୍ଵାକଫ୍ ସଂଶୋଧନ ବିଲ୍ ଉପରେ ଜେପିସି ରିପୋର୍ଟ ରାଜ୍ୟସଭା ସମ୍ମୁଖରେ ଉପସ୍ଥାପିତ ହୋଇଥିଲା । ବିଜେପି ସାଂସଦ ମେଧା କୁଲକର୍ଣ୍ଣି ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ତେବେ ଏହା ପରେ ହିଁ ବିରୋଧୀ ସାଂସଦମାନେ ନାରାବାଜି ଆରମ୍ଭ କରିଥିଲେ। ଫଳରେ ଗୃହକୁ ମୁଲତବୀ ରଖାଯାଇଥିଲା । ସଂସଦରେ ୱାକଫ୍ ସଂଶୋଧନ ବିଲ୍ ଆଗତ ହୋଇସାରିଛି । ତେବେ ବିରୋଧୀଙ୍କ ତୀବ୍ର ବିରୋଧ ପରେ ଏହାକୁ ଜେପିସିକୁ ପଠାଯାଇଥିଲା ।

Advertisment

ଏବେ ଜେପିସି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି । ତେବେ କମିଟି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ଜେପିସିରେ ସାମିଲ ଥିବା ବିରୋଧୀ ସାଂସଦ। ଏଭଳି ସ୍ଥିତିରେ ଏହି ପ୍ରସଙ୍ଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଜେପିସି କୌଣସି ନିୟମ ଉଲ୍ଲଂଘନ କରିନାହିଁ। ବିରୋଧୀଙ୍କ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ। ବିରୋଧୀ ଦଳ ନେତାମାନେ ଗୃହକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ ବୋଲି ରିଜିଜୁ କହିଛନ୍ତି। ରିଜିଜୁ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ପଚାରିଥିଲେ, ଆପଣ ନିଜେ ଜେପିସିର ସଦସ୍ୟ। ଆପଣ କାହିଁକି ନିଜ ରିପୋର୍ଟକୁ ବିରୋଧ କରୁଛନ୍ତି? ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଜେପିସିରେ ଥିବା ବିରୋଧୀ ନେତାଙ୍କ ଅସନ୍ତୁଷ୍ଟ ନୋଟ୍ ହଟାଇବାକୁ ବିରୋଧ କରିଥିଲେ । ଜେପିସି ରିପୋର୍ଟରେ ଅସନ୍ତୁଷ୍ଟ ନୋଟ୍ କୁ ସାମିଲ କରିବା ପରେ ଏହାକୁ ପୁନର୍ବାର ଉପସ୍ଥାପନ କରାଯାଉ ବୋଲି ସେ କହିଛନ୍ତି।