କନକ ବ୍ୟୁରୋ : ପୁରୀ ବେଳାଭୂମି ମାର୍ଗ ଓ ସିଟି ରୋଡକୁ ପାର୍କିଂମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି । ଦୀର୍ଘଦିନ ଧରି ଏହି ଅଞ୍ଚଳରେ ପାର୍କିଂ କରି ଜବରଦଖଲ କରାଯାଉଥିଲା । ଫଳରେ ଟ୍ରାଫିକ୍ ଜାମ ପରିସ୍ଥିତି ସୃଷ୍ଟି ହେଉଥିଲା । ତେବେ ପୁରୀ ଏସପି ବିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଅଞ୍ଚଳକୁ ପୁଲିସ ପକ୍ଷରୁ ଜବରଦଖଲ ମୁକ୍ତ କରାଯାଇଛି ।
ସିଟି ରୋଡ ଓ ବେଳାଭୂମି ମାର୍ଗ ଉପରେ ଯେଉଁମାନେ ଅନଧିକୃତ ଭାବେ ଗାଡ଼ି ରଖିବେ, ସେମାନଙ୍କ ଉପରେ ଅର୍ଥଦଣ୍ଡ ଲାଗୁ ହେବ । ଏହି ଅଞ୍ଚଳକୁ ସର୍ବଦା ଯାତାୟତ ପାଇଁ ସମ୍ପୂର୍ଣ୍ଣ ମୁକ୍ତ ରଖିବାକୁ ସ୍ଥିର କରାଯାଇଛି । ସେହିପରି ଅର୍ବାନ ହାଟ ନିକଟରେ ଟୁରିଷ୍ଟ ବସ୍ ପାର୍କିଂକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସେହିପରି ଅଟୋ ଚାଳକଙ୍କ ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ସିଟି ରୋଡ ଓ ବେଳାଭୂମି ମାର୍ଗରେ ପ୍ରାୟ ୪ ହଜାର ଅଟୋ ଚଳାଚଳ କରିଥାଏ । ସେମାନେ ଏବେ ସିଟି ରୋଡ ଓ ବେଳାଭୁମି ମାର୍ଗରେ ଗାଡ଼ି ପାର୍କିଂ ନକରିବାକୁ ପରାମର୍ଶ ଦିଆଯାଇଛି ।