କନକ ବ୍ୟୁରୋ: ଉଦଘାଟନ ହୋଇଗଲା । ହେଲେ ଲାଗୁନି କାମରେ । କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅବହେଳିତ ହୋଇପଡିଛି ଗ୍ରାମୀଣ ଉଦ୍ୟାନ । ଆର.ଉଦୟଗିରି ବ୍ଲକ ଅବାରସିଂ ଡୁମ୍ବା ଗ୍ରାମୀଣ ପାର୍କରେ ଥିବା ସମସ୍ତ ଜିନିଷ ନଷ୍ଟ ହୋଇଗଲାଣି । ଲାଇଟ୍ ଭାଙ୍ଗିଯାଇଥିବା ବେଳେ ଅନାବନା ଗଛରେ ଭର୍ତ୍ତି ହୋଇଗଲାଣି । ସ୍ଥାନୀୟ ଲୋକଙ୍କ କାମରେ ପାର୍କ ଆସୁନଥିବା ବେଳେ ଖୁବଶୀଘ୍ର ପୁନରୁଦ୍ଧାର ଦାବି ହୋଇଛି ।
ଉଦଘାଟନର ଅଢେଇ ବର୍ଷ ପୂରିନି । ଏବେ କୋଟିଏ ଟଙ୍କାର ପାର୍କ ଖତ ଖାଇଲାଣି। ଏ ହେଉଛି ଆର.ଉଦୟଗିରି ବ୍ଲକ ଅବାରସିଂ ଡୁମ୍ବା ଗ୍ରାମୀଣ ପାର୍କ। ପାର୍କ ନିର୍ମାଣ ପରେ ମିଶନ ଶକ୍ତି ମହିଳାଙ୍କୁ ରକ୍ଷଣାବେକ୍ଷଣା ପାଇଁ ହସ୍ତାନ୍ତର କରାଯାଇଥିଲା। କିଛି ମାସ ସୁରୁଖୁରୁରେ ଚାଲିଲା ହେଲେ ଏବେ ଅବହେଳିତ ହୋଇପଡିଛି ପାର୍କ । ଚାରିଆଡେ ଅନାବନା ଗଛରେ ଭର୍ତ୍ତି ହୋଇଯାଇଥିବା ବେଳେ ଭିତରେ ଗଡ଼ୁଛି ମଦ ବୋତଲ । ଆଲୋକୀକରଣ ପାଇଁ ଅତ୍ୟାଧୁନିକ ଲାଇଟର ବ୍ୟବସ୍ଥା ହୋଇଥିଲେ ବି ସବୁ ଭାଙ୍ଗିରୁଜି ଗଲାଣି । ସାଜସଜା ପାଇଁ ନିର୍ମାଣ କରାଯାଇଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇ ଗଲାଣି। ଏବେ ଲୋକଙ୍କ କାମରେ ଆସୁନଥିବା ବେଳେ ପାର୍କର ମୁଖ୍ୟ ଫାଟକରେ ପଡିଛି ତାଲା । ଖୁବଶୀଘ୍ର ଏହାର ପୁନରୁଦ୍ଧାର ଦାବି କରିଛନ୍ତି ସ୍ଥାନୀୟ ଲୋକ ।
ଲୋକଙ୍କ ମନୋରଂଜନ ତଥା ଅବସର ବିନୋଦନ ପାଇଁ ଗାଁରେ କରାଯାଉଛି ଏହି ଉଦ୍ୟାନ । ହେଲେ ଗ୍ରାମୀଣ ପାର୍କ ଗୁଡିକ ଲୋକଙ୍କ କାମରେ ଲାଗୁନି । ସଦର ମହକୁମାରରେ ନହୋଇ ରାସ୍ତା କଡରେ ନିଛାଟିଆ ଜାଗାରେ ପାର୍କ କରାଯାଉଥିବା ନେଇ ଉଠିଛି ପ୍ରଶ୍ନ । ପାର୍କ ନିର୍ମାଣ ବାହାନାରେ ବ୍ଲକ ପ୍ରଶାସନ ହରିଲୁଟ କରିଛି ଅଭିଯୋଗ ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । ସେପଟେ ଲୋକ ଆସିଲେ ପାର୍କ ମରାମତି ହେବ କହି ଘଟଣା ଏଡାଇ ଦିଆଯାଇଛି । କୋଟି କୋଟି ଟଙ୍କା ବ୍ୟୟ କରାଯାଇ ପାର୍କ ନିର୍ମାଣ କରାଯାଇଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଇ ମରାମତି କରିବା ଜରୁରି ହୋଇପଡିଛି ।