କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ପାର୍କ ଦୁର୍ନୀତି। ପୁରୀ ଜିଲ୍ଲା ସତ୍ୟବାଦୀର ବ୍ଲକର ବିଭିନ୍ନ ପଞ୍ଚାୟତର ପାର୍କର ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ଆସିଥିଲା। ହେଲେ କାମ ସବୁ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ପାର୍କ ତ ଅଛି, ଏଠାକୁ କେହି ଆସୁନାହାନ୍ତି । କୁଆଡ଼େ ଗଲା ଗ୍ରାମୀଣ ଉଦ୍ୟାନ ନାଁରେ ଆସିଥିବା କୋଟି କୋଟି ଟଙ୍କା । ଭିଜିଲାନ୍ସ ତଦନ୍ତ ହେଲେ, ସତ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।
କେଉଁଠି ଘାସ ବୁଦା ବୁଦା ହୋଇଛି ତ କେଉଁଠି ଗାଈ ଚରୁଛନ୍ତି । ସତ୍ୟବାଦୀ ବ୍ଲକର ବିଭିନ୍ନ ପାର୍କରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମୀଣ ଉଦ୍ୟାନ ପ୍ରକଳ୍ପ ନାଁରେ ବିଭିନ୍ନ ପଞ୍ଚାୟତକୁ ଆସିଥିଲା କୋଟି କୋଟି ଟଙ୍କା । ଏହି ଟଙ୍କା ପିଲାଙ୍କ ଖେଳିବା ଉପକରଣ ସହ ପାର୍କର ସୌନ୍ଦର୍ୟ୍ୟକରଣରେ ବିନିଯୋଗ ହୋଇଥାନ୍ତା । ଜେଇ ଅଧିକାରୀଙ୍କ ତତ୍ତ୍ବାବଧାନରେ ସ୍ଥାନ ନିରୂପଣ କରାଯାଇ ଟଙ୍କା ମଞ୍ଜୁର ହୋଇଥିଲା । ହେଲେ ଯେଉଁ ଦୃଶ୍ୟସବୁ ସାମ୍ନାକୁ ଆସିଛି, ତାହା ସ୍ପଷ୍ଟ କରୁଛି ଯେ ସବୁ ଅର୍ଥ ବାଟମାରଣା ହୋଇଛି ।
ନଜର ପକାନ୍ତୁ କିଛି ତଥ୍ୟ ଉପରେ
ପେଣ୍ଠପଡ଼ା ପଞ୍ଚାୟତ ପାଇଁ ଆସିଥିଲା ୧୬ ଲକ୍ଷ ୩୬ହଜାର ୩୬୨ ଟଙ୍କା
ପରଜପଡ଼ା ପଞ୍ଚାୟତ ପାଇଁ ୯ଲକ୍ଷ ୪୯ହଜାର ୫୦୦ ଟଙ୍କା
ବିରାମଚନ୍ଦ୍ରପୁର ପଞ୍ଚାୟତ ପାଇଁ ୭ଲକ୍ଷ ୪୦ହଜାର ୫୧ଟଙ୍କା
ଜୟପୁର ପଞ୍ଚାୟତ ପାଇଁ ୩ଲକ୍ଷ ୧୫ହଜାର ୮୩୫ ଟଙ୍କା
ନରେନ୍ଦ୍ରପୁର ପଞ୍ଚାୟତ ପାଇଁ ୧୦ଲକ୍ଷ ଟଙ୍କା
ଡୁଗଲ ପଞ୍ଚାୟତ ପାଇଁ ୧୭ଲକ୍ଷ ଟଙ୍କା
ଇଏ ତ କେବଳ କିଛି ପଞ୍ଚାୟତର ତଥ୍ୟ। ଆହୁରି ଅନେକ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଆସିଛି । ହେଲେ ସେସବୁର ତଥ୍ୟ ହସ୍ତଗତ ହୋଇନାହିଁ । ତେଣୁ ଯେଉଁ ଦୁର୍ନୀତି ହୋଇଛି, ତା’ର ଯାଞ୍ଚ ପାଇଁ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀମାନେ । ଏପରିକି ଟଙ୍କା କାହା ହାତକୁ ଆସିଥିଲା ଏବଂ କୁଆଡ଼େ ଗଲା କୋଟି କୋଟି ଟଙ୍କା ସେସବୁର ମଧ୍ୟ ଯାଞ୍ଚ ଆବଶ୍ୟକ ବୋଲି ଦାବି ହୋଇଛି ।