କନକ ବ୍ୟୁରୋ : ବିଧାତା ବାପା ମା’ଙ୍କୁ ଛଡ଼ାଇନେଲା । ତଥାପି ସାହାସ ହାରିନଥିଲେ । ଆଇ ମା’କୁ ଖୁସିରେ ରଖିବେ, ଦୁଇ ଭଉଣୀକୁ ପାଠ ପଢ଼ାଇ ଉଚ୍ଚ ଶିକ୍ଷିତ କରିବା ଭଳି ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ପେଜ ପଡ଼ିବା କାରଣରୁ ମୁହଁ, କାନ୍ଧ ପୋଡ଼ିଗଲା । ଆଉ ଅଧାରେ ରହିଗଲା ସ୍ୱପ୍ନ । ଏପରି ହୃଦୟ ବିଦାରକ ଖବର ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗୁଦେରପାଲି ଗାଁରୁ ।
ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଗୁଦେରପାଲି ଗାଁର କୁଶ ବରିହା । ପିଲାଦିନୁ ବାପା ମା’ ଛେଉଣ୍ଡ । ତଥାପି ଅନେକ ସ୍ୱପ୍ନ ଦେଖିଥିଲେ । ନିଜେ ପଢ଼ିବେ, ଦୁଇ ଭଉଣୀଙ୍କୁ ପଢ଼ାଇବେ । ହେଲେ ସବୁ ସ୍ୱପ୍ନ ପୋଡ଼ି ପାଉଁଶ ହୋଇଗଲା । ପରିବାର ଲୋକଙ୍କ ପାଇଁ ରୋଷେଇ କରିବା ସମୟରେ ଗରମ ପେଜରେ ପଡ଼ି ଡାହାଣ ପଟ ଗାଲ, କାନ୍ଧ ଓ କାନ ପୋଡ଼ି ଯାଇଛି । ଏବେ ଏହି ଅବସ୍ଥାରେ ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି କୁଶ । ଭିକ ମାଗି ଦାନା ଯୋଗାଡ଼ କରୁଛନ୍ତି ।
ଭାଇର ଏପରି ଅବସ୍ଥା ଦେଖି ଭଉଣୀ ଅର୍ଚ୍ଚିତା ଆଖିରୁ ଶୁଖୁନି ଲୁହ । ଅଭାବ ଅନଟନ ଭିତରେ ଭାଇର ଚିକିତ୍ସା ସମ୍ଭବ ହେଉନାହିଁ । କି ସେ ପାଠ ପଢ଼ିପାରୁନାହିଁ । ନିଜସ୍ୱ ଜମି ଖଣ୍ଡିଏ ନଥିବାରୁ ସରକାରୀ ଜମିରେ କୁଡ଼ିଆଟିଏ କରି ରହୁଛନ୍ତି । ଦୁଃଖ ଦୁର୍ଦଶା ଭିତରେ ଜୀବନ ଜିଇଁବା ଦୁର୍ବିସହ ହୋଇପଡୁଛି । ସେପଟେ ଏହି ପରିବାରର ରାସନ କାର୍ଡ କି ଭତ୍ତା ଟିଏ ନାହିଁ ।
ଗାଁ ଲୋକ ଓ ବନ୍ଧୁ ପରିଜନଙ୍କ ସହଯୋଗରେ ଜଣେ ଭଉଣୀ ବାହା ହୋଇଛନ୍ତି । ଅନ୍ୟ ଜଣଙ୍କର ପାଠ ପଢିବା ପ୍ରତି ବେଶ ଆଗ୍ରହ ରହିଛି । କିନ୍ତୁ ଚାରିଆଡ଼ୁ ତାଙ୍କ ଭବିଷ୍ୟତ ବାନ୍ଧି ହୋଇଯାଇଛି ।