କନକ ବ୍ୟୁରୋ: କୁନିପୁଅର କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ...
କହୁଛି, ମାମା! ବାପାଙ୍କୁ ଦେଖିଲେ ମୋତେ ଡର ମାଡୁଛି ...
ହେଲେ ମୁଁ ତାଙ୍କ ସହ ଖେଳିବାକୁ ଚାହେ
ଯଦି ଆପଣ ରାଗରେ ଆପଣଙ୍କ ପିଲାକୁ ହାତ ଉଠାଉଛନ୍ତି, ତାହେଲେ ବଡ଼ ଭୁଲ କରୁଛନ୍ତି । ସୋସିଆଲ ମିଡିଆରେ ଶିଶୁ ମନୋବିଜ୍ଞାନୀ ପୁଷ୍ପା ଶର୍ମାଙ୍କ ଏକ ବାର୍ତ୍ତା ଭାବିବାର ବିଷୟ । ବାପା, ମାଆଙ୍କ ରାଗ କିପରି ପିଲାଙ୍କ ଚରିତ୍ର ଓ ବ୍ୟବହାର ଉପରେ ଖରାପ ପ୍ରଭାବ ପକାଏ ଏ ସମ୍ପର୍କୀତ ଏକ ସତ ଘଟଣାକୁ ବଖାଣିଛନ୍ତି ।
ପିଲାଙ୍କ ମନ ଭାରି କୋମଳ, ପରିସ୍କାର କଳାପଟା ପରି, ସେଥିରେ ଆପଣ ଯାହା ଲେଖିଦେବେ ପିଲାଠାରେ ସେପରି ବ୍ୟବହାର ଦେଖିବାକୁ ମିଳିବ । ଛୋଟ ଛୋଟ କଥା ବି ସେମାନଙ୍କୁ ଖୁବ୍ ପ୍ରଭାବିତ କରେ । ଏହି କାରଣରୁ କୁହାଯାଏ କେବଳ ବାପା, ମାଆ ନୁହଁ ବରଂ ପିଲାଙ୍କ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ସେମାନଙ୍କ ସହ ସହଜ ବ୍ୟବହାର କରିବା ଉଚିତ ।ବନ୍ଧୁ ଭଳି ବ୍ୟବହାର କରିବା ଉଚିତ । ପିଲାଙ୍କ ସହ ପିଲା ହୋଇ ଚଳିବା ଉଚିତ । କାରଣ ବଡ଼ମାନଙ୍କ ସାମାନ୍ୟ ଭୁଲ ପିଲାଙ୍କ ଇମୋସନାଲ ବା ଭାବାବେଗକୁ ବିଗାଡ଼ି ଦେଇପାରେ ।
ଏକ ୧୨ ବର୍ଷର ପୁଅର କାହାଣୀକୁ ଇନଷ୍ଟାରେ ସେୟାର କରି ଏକଥାକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଏନଏଲପି ପ୍ରାକ୍ଟିସନର ପୁଷ୍ପା ଶର୍ମା । ୧୨ ବର୍ଷର ପୁଅ… ବାପାଙ୍କ କ୍ରୁର ବ୍ୟବହାର ତାକୁ ଭିତରୁ ଯେପରି ଭାଙ୍ଗି ଦେଇଛି । ସେଦିନ ସକାଳ, ପିଲାଟି ବେଡରୁ ଉଠି ଚୁପଚାପ୍ ନିଜ ନିତ୍ୟକର୍ମ କରିଥିଲା । ଡାଇନିଙ୍ଗରେ ବସି ମାଆ ଯାହା ଖାଇବାକୁ ଦେଇଥିଲେ ଖାଇଥିଲା ।ଟିଫିନରେ ଯାହା ଦେଲେ କିଛି ବି ପ୍ରତିବାଦ କରିନଥିଲା । ଆଉ ସ୍କୁଲ ବାହାରିଯାଇଥିଲା । ବାଟରେ ତା ବୟସର ପିଲାଙ୍କୁ ଚାହୁଁଥିଲା। ସେମାନଙ୍କ ଗାଲ, ହାତକୁ ଦେଖୁଥିଲା । ଭାବୁଥିଲା ତା’ ପରି କ’ଣ ଏମାନଙ୍କୁ ବି ଏମାନଙ୍କ ବାପା, ମାରୁଥିବେ ? କାରଣ ତା’ ମନରେ ବାପାଙ୍କ ପ୍ରତି ଡର ବଢ଼ି ବଢ଼ି ଚାଲିଥିଲା ।ଘରକୁ ତା’ ବାପା ଆସୁଥିଲେ ସେ ଆଉ ଏକ ରୁମକୁ ଯାଇ ଚୁପଚାପ୍ ଯାଇ ବସୁଥିଲା। ଲାଗୁଥିଲା ସେ ଯେମିତି ହଠାତ୍ ବଡ଼ ହୋଇଯାଇଛି । କିନ୍ତୁ ଏହା ବାସ୍ତବରେ ବାପାଙ୍କ ପ୍ରତି ଭୀଷଣ ଡର ଥିଲା । ଭାବୁଥିଲା ବାପା ବୋଧହୁଏ ପୁଣି ପିଟିବେ । ପ୍ରକୃତରେ ବଡ଼ ହେବାକୁ ଚାହୁନଥଲା ବରଂ ପିଲା ହୋଇ ରହିବାକୁ ଚାହୁଥିଲା । ଆଉ ଚାହୁଥିଲା ତା ବାପା ବି ତା ସହ ପିଲା ଭଳି , ସାଙ୍ଗ ଭଳି ବ୍ୟବହାର କରନ୍ତୁ । ସେଥିପାଇଁ ତ ଦିନେ ସେ ମାଆ ପାଖକୁ ଆସି ଛଳ ଛଳ ଆଖିରେ କହିଥିଲା , ’ ମାମା! ବାପାଙ୍କୁ ବୁଝାଅ, ମୁଁ ତାଙ୍କୁ ଛାଡ଼ି ଦୂରକୁ ଯିବାକୁ ଚାହେଁନା । ମୁଁ ତାଙ୍କ ସହ ଖେଳିବାକୁ ଚାହେ, ତାଙ୍କ ସହ ବହୁତ କଥା ହେବାକୁ ଚାହେ’ , ତାଙ୍କଠାରୁ ଗପ ଶୁଣିବାକୁ ଚାହେ… ହେଲେ କ’ଣ କରିବି ମାମା! ତାଙ୍କୁ ଦେଖିଲେ ମୋତେ ଭାରୀ ଡର ମାଡ଼ୁଛି’ ।
ପୁଷ୍ପା ଶର୍ମାଙ୍କ ଏ କାହାଣୀ ପ୍ରତି ବାପା, ମାଆଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । କାରଣ ସେମାନଙ୍କ ବ୍ୟବହାର ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ବେଶ୍ ଗୁରୁତ୍ବପୂର୍ଣ୍ଣ ।ଏଥିପାଇଁ ସେମାନେ ସଜାଗ ରହିବା ଉଚିତ ।ପିଲାକୁ ଗଢ଼ିବାକୁ ହେଲେ ପ୍ରଥମେ ବାପା, ମାଆଙ୍କୁ ନିଜକୁ ସମୀକ୍ଷା କରିବାକୁ ପଡ଼ିବ । ନିଜକୁ ଗଢ଼ିବାକୁ ପଡ଼ିବ ଏହାକୁ ଅସ୍ବୀକାର କରାଯାଇନପାରେ ।