କନକ ବ୍ୟୁରୋ: ଡାକ୍ତର ସୋନୋଗ୍ରାଫି କରି ରିପୋର୍ଟ ଦେଲେ ଗର୍ଭବତୀଙ୍କର ଜାଆଁଳା ଛୁଆ ଅଛି ବୋଲି । ଗର୍ଭବତୀ ଜଣକ ଜାଆଁଳା ଛୁଆ ରହିଛି ଭାବି ସେହି ପ୍ରକାର ଚିକିତ୍ସା ସୁବିଧା ପାଇଲେ । କିନ୍ତୁ ୩ ସେପେମ୍ଟମ୍ୱରରେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ପରେ ଗୋଟିଏ ଛୁଆ ଜନ୍ମ ହୋଇଥିଲା । ଏହାପରେ ଦୁଇଟି ଛୁଆରୁ ଗୋଟିଏ ଛୁଆ ଗଲା କୁଆଡେ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି । ପ୍ରସବ ପରେ ଡାକ୍ତରଖାନାରୁ ଗୋଟିଏ ଛୁଆକୁ ଚୋରି କିମ୍ବା ବିକ୍ରି କରି ଦେଇଥିବା ଅଭିଯୋଗ ଆଣିଛନ୍ତି ।
ଏହି ଘଟଣାକୁ ନେଇ ଦମ୍ପତିଙ୍କ ପକ୍ଷରୁ ଉମରକୋଟ ଥାନାରେ ଏତଲା ଦିଆଯାଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଆଦିପାରା ଗାଁର ରାକେଶ ଗଣ୍ଡଙ୍କ ସ୍ତ୍ରୀ କୁନ୍ତୀ ଗଣ୍ଡ ଗର୍ଭବତୀ ହେଲା ପରେ ନିୟମିତ ଚେକଅପ ପାଇଁ ଉମରକୋଟ ଉପ ଖଣ୍ଡସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସୁଥିଲେ । କୁନ୍ତୀଙ୍କ ଗର୍ଭରେ ଜାଆଁଳା ଛୁଆ ଅଛି ବୋଲି ରିପୋର୍ଟ ଆସିଥିଲା । ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରିଥିବା ଡ଼ାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷ କୁନ୍ତିଙ୍କର ଗୋଟିଏ ସନ୍ତାନ ହୋଇଥିବା ସୂଚନା ଦେଇଥିଲେ । ଉମରକୋଟ ଥାନାରେ ସ୍ୱାମୀ ରାକେଶ ଗଣ୍ଡ ତାଙ୍କ ନବଜାତ ଶିଶୁ ମଧ୍ୟରୁ ଗୋଟିଏ ଶିଶୁ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ।