କନକ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ରାୟ ଆସିଛି । ଅଭିଯୁକ୍ତ ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡ ମିଳିଛି । ୭ ବର୍ଷ ତଳେ ଘଟିଥିବା ଏହି ଘଟଣା କେବଳ ଓଡ଼ିଶା ନୁହେଁ, ଭାରତ ବର୍ଷରେ ଚାଞ୍ଚଲ୍ୟ ଖେଳାଇଥିଲା । ତେବେ କାହିଁକି ଓ କେମିତି ଏତେ ବଡ଼ କାଣ୍ଡ ଘଟାଇଲା ପୁଞ୍ଜିଲାଲ ? ଆସନ୍ତୁ ନଜର ପକାଇବା ପୂରା ଘଟଣାକ୍ରମ ଉପରେ ।
ଘରକୁ ଆସିଥିଲା ଉପହାର
୨୦୧୮ ମସିହା ଫେବ୍ରୁଆରି ୨୩ ତାରିଖରେ ଘରକୁ ଆସିଥିଲା ଉପହାର । ସୌମ୍ୟଶେଖର ଭାବିଥିଲେ ବିବାହ ପାଇଁ କିଏ ଜଣେ ଉପହାର ପଠାଇଛନ୍ତି । ଉପହାର ଖୋଲିଲା ପରେ ହଠାତ୍ ଘଟିଥିଲା ବିସ୍ଫୋରଣ । ଯେଉଁଥିରେ ପ୍ରାଣ ହରାଇଥିଲେ ସୌମ୍ୟ ଓ ତାଙ୍କ ଜେଜେ ମା’ ଜେମାମଣି । ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରୀମାରାଣୀ ଗୁରୁତର ହୋଇଥିଲେ । ଘଟଣାର ଠିକ୍ ମାସକ ପରେ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ତଦନ୍ତଭାର ।
୨୦୧୮ ମସିହା, ଏପ୍ରିଲ ୨୨
ମାସେ କାଳ ତଦନ୍ତ ପରେ ଭଇଁଷା କଲେଜ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଉଠାଇନେଇଥିଲା କ୍ରାଇମବ୍ରାଞ୍ଚ । ପୁଞ୍ଜିଲାଲଙ୍କ ଘରୁ ବାରୁଦ, ବୋମା ଆଦି ବିସ୍ଫୋରକ ସାମଗ୍ରୀ ଜବତ ପରେ ବଢ଼ିଥିଲା ସନ୍ଦେହ । ଆଉ ତଦନ୍ତ ବେଳେ ଜଣାପଡ଼ିଲା ଯେ, ସୌମ୍ୟଶେଖରଙ୍କ ଘରକୁ ଆସିଥିବା ପାର୍ସଲ ରାୟପୁରରୁ ଆସିଥିଲା, ଯେଉଁଥିରେ ପୁଞ୍ଜିଲାଲର ଥିଲା ସଂପୃକ୍ତି । ଯାହାପରେ ୨୦୧୮ ଏପ୍ରିଲ୍ ୨୫ ତାରିଖରେ ପୁଞ୍ଜିଲାଲକୁ ଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ । ପୂରା ଘଟଣାରେ ପୁଞ୍ଜିଲାଲ ହିଁ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଥିଲା । ଏକାକୀ ରଚିଥିଲା ମୃତ୍ୟୁର ବିଭୀଷିକା । ସୌମ୍ୟଙ୍କ ମା’ ସଞ୍ଜୁକ୍ତାଙ୍କ ସହ ଥିବା ବିବାଦର ପ୍ରତିଶୋଧ ନେବାକୁ ଯାଇ ଏଭଳି ହତ୍ୟାକାଣ୍ଡ ଘଟାଇଥିଲା ପୁଞ୍ଜିଲାଲ । ତଦନ୍ତ ବେଳେ ବୋମା ତିଆରି କରିଥିବା କଥାକୁ ସ୍ୱୀକାର କରିଥିଲା ପୁଞ୍ଜିଲାଲ।
୨୦୧୯ ମସିହା, ଜାନୁଆରି ୩୧
ଘଟଣାକୁ ପାଖାପାଖି ବର୍ଷେ ପୂରିବାକୁ ଥିବା ବେଳେ କୋର୍ଟରେ ଦାଖଲ ହୋଇଥିଲା ଫାଇନାଲ୍ ଚାର୍ଜସିଟ୍ । ୭୬ ପୃଷ୍ଠାର ଚାର୍ଜସିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । ୧୨ ମାର୍ଚ୍ଚ ୨୦୨୨ରେ ପୁଞ୍ଜିଲାଲ୍ ମେହେର ବିରୋଧରେ ଚାର୍ଜଫ୍ରେମ୍ ଦାଖଲ ହୋଇଥିଲା । ଆଇପିସି ଧାରା ୩୦୨, ୩୦୭, ୨୦୧ରେ ମାମଲା ରୁଜୁ ହୋଇଥିଲା । ଏହାସହ ଏକ୍ସପ୍ଲୋସିଭ୍ ଆକ୍ଟର ସେକ୍ସନ୍ ୩ ଓ ୪ରେ ମଧ୍ୟ ଲାଗିଥିଲା । ୨୦୨୫, ଜାନୁଆରି ୨୯ରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୪ ସପ୍ତାହ ମଧ୍ୟରେ ସାକ୍ଷ୍ୟ ଗ୍ରହଣ ସହ ଶୀଘ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ ।
୧୪ ମେ’୨୦୨୫ରେ ପାର୍ସଲ ବୋମା ଘଟଣାର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିଲା । ୨୦୨୫ ମେ' ୨୮ରେ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି । ଆଉ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ସଜା ଶୁଣାଇଛନ୍ତି ବଲାଙ୍ଗୀର ଏସଡିଜେଏମ୍ କୋର୍ଟ । ଫଳରେ ପୀଡ଼ିତ ପରିବାରକୁ ନ୍ୟାୟ ମିଳିଛି ।