କନକ ବ୍ୟୁରୋ : କେନ୍ଦ୍ର ସରକାର ଶନିବାର ଦିନ ବରିଷ୍ଠ ଆଇପିଏସ୍ ଅଧିକାରୀ ପରାଗ ଜୈନଙ୍କୁ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚର ଆଇପିଏସ୍ ଅଧିକାରୀ ପରାଗ ଜୈନ ଜୁଲାଇ ପହିଲାରୁ ଦୁଇବର୍ଷ ପାଇଁ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟ କରିବେ । ସେ ବର୍ତ୍ତମାନ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଥିବା ରବି ସିହ୍ନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ରବି ସିହ୍ନାଙ୍କ କାମ ଚଳିତ ମାସ ୩୦ ତାରିଖରେ ସମାପ୍ତ ହେବାକୁ ଯାଉଛି । କହିରଖୁ କି, ଗୁଇନ୍ଦା ସଂସ୍ଥା ଭାରତର ଏଭଳି ଏକ ଏଜେନ୍ସି ଯେ ଦେଶ ବାହାରେ ଗୁଇନ୍ଦା ଅପରେସନ ଦେଖିଥାଏ । 

Advertisment

ପାୱାର କରିଡରରେ ଜେଣ ଚତୁର ଗୁଇନ୍ଦା ଭାବେ ଚର୍ଚ୍ଚାରେ ଥିବା ପରାଗ ଜୈନ ନିଜ ସହ ମାନବ ଅଧାରିତ ଇଣ୍ଟେଲିଜେନ୍ସ ସହ ଟେକନିକ୍ ଆଧାରିତ ଇଣ୍ଟେଲିଜେନ୍ସର ଅନୁଭବ ନେଇ ଆସୁଛନ୍ତି । ସେ ତାଙ୍କ କାର୍ଯ୍ୟକାଳରେ ଏହି ଦୁଇ ପ୍ରକାରର ଇଣ୍ଟେଲିଜେନ୍ସକୁ ମିଳିତ ଭାବେ ବ୍ୟବହାର କରି ଅନେକ କାମ କରିଛନ୍ତି । 

ଚଳିତ ବର୍ଷ ପାକିସ୍ତାନ ବିରୋଧରେ ହୋଇଥିବା ଅପରେସନ ସିନ୍ଦୂରକୁ ନେଇ ପରାଗ ଜୈନ୍ ବେଶ୍ ଚର୍ଚ୍ଚାରେ ଥିଲେ । ତାଙ୍କ ନେତୃତ୍ୱରେ ସେନା ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂଶ କରିବାରେ ସମର୍ଥ ହୋଇଥିଲା । କ୍ୟାବିନେଟ ନିଯୁକ୍ତି ସମିତି ତରଫରୁ ତାଙ୍କ ନାମ ଉପରେ ଆଜି ମୋହର ମାରିଛି ।