କନକ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ଟିକିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଛି, ଯେଉଁଠାରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଥିଲା । ବିଶେଷକରି ରିଷଭ ପନ୍ତ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଟେଷ୍ଟ କ୍ରିକେଟରେ ମଧ୍ୟ ଛକା ମାରିବାରେ ମାହିର । ପନ୍ତ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ।

Advertisment

ଏପର୍ଯ୍ୟନ୍ତର ପରିସଂଖ୍ୟାନ ଅନୁଯାୟୀ, ପନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ୩୫ଟି ଛକା ମାରିଛନ୍ତି, ଏବଂ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ସାର୍ ଭିଭିଆନ୍ ରିଚାର୍ଡସଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ଇଂଲଣ୍ଡ ବିପକ୍ଷରେ ୩୪ଟି ଛକା ମାରିଥିଲେ । ପନ୍ତଙ୍କ ଏହି ସଫଳତାକୁ ତାଙ୍କର ଆକ୍ରମଣାତ୍ମକ ଏବଂ ନିର୍ଭୀକ ବ୍ୟାଟିଂ ଶୈଳୀର ନିଦର୍ଶନ କୁହାଯାଇପାରେ, ଯାହା ଟେଷ୍ଟ କ୍ରିକେଟରେ ମଧ୍ୟ ନୂତନ ଚିନ୍ତାଧାରାର ଝଲକ ଦେଇଛି ।

ଏହି ତାଲିକାରେ ଭାରତର ଆଉ ଦୁଇ ଯୁବ ବ୍ୟାଟସମ୍ୟାନ୍ - ଯଶସ୍ୱୀ ଜୟସୱାଲ୍ ଏବଂ ଶୁଭମନ ଗିଲ୍ ସାମିଲ ହୋଇଛନ୍ତି । ସାମ୍ପ୍ରତିକ ସମୟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଉଭୟେ ଟେଷ୍ଟ କ୍ରିକେଟ୍‌ରେ ଏକ ନୂତନ ଆଶା ଯୋଡ଼ିଛନ୍ତି । ଜୟସଓ୍ୱାଲ ମାତ୍ର କିଛି ମ୍ୟାଚ୍‌ରେ ୨୭ଟି ଛକା ମାରିଛନ୍ତି, ଯାହା ଏକ ସଙ୍କେତ ଯେ ଆଗାମୀ ସମୟରେ ସେ ଏହି ତାଲିକାରେ ଆହୁରି ଉପରକୁ ଯାଇପାରିବେ । ଶୁଭମନ ଗିଲ୍ ମଧ୍ୟ ୨୬ଟି ଛକା ସହିତ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।