କନକ ବ୍ୟୁରୋ: ଭୁବନେଶ୍ବରରେ ଡିଜିପି-ଆଇଜିପି ସମ୍ମିଳନୀର ଠିକ୍ ପୂର୍ବରୁ ଆସିଥିବା ପନ୍ନୁର ଧମକପୂର୍ଣ୍ଣ ଭିଡିଓ ଓ ପରେ ଇ-ମେଲର ହେବ ଖୋଳତାଡ଼। କେଉଁଠୁ ଏହି ଇ-ମେଲ ଆସିଥିଲା, କିଏ ଏହାକୁ ପଠାଇଥିଲା, ତା’ର ତଦନ୍ତ ପାଇଁ ଅଣ୍ଟା ଭିଡ଼ିଛି କ୍ରାଇମବ୍ରାଞ୍ଚ। ଗୁଗଲକୁ ଚିଠି ଲେଖି ପୂରା ଘଟଣାର ତଥ୍ୟ ମାଗିଛି। ସେପଟେ ଏନଆଇଏକୁ ମିଳିପାରେ ତଦନ୍ତ ଭାର।
- ପନ୍ନୁର ଧମକପୂର୍ଣ୍ଣ ଭିଡିଓ, ଇ-ମେଲ
- ଗୁଗଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ
- ଏନଆଇଏ କରିବ ତଦନ୍ତ!
କେଉଁଠୁ ଆସିଲା ଏସବୁ ଧମକପୂର୍ଣ୍ଣ ଇ-ମେଲ? କିଏ ପଠାଉଥିଲା, ସେସବୁର ହେବ ଖୋଳତାଡ଼। ଘଟଣାକୁ ଗୁରୁତ୍ବର ସହ ନେଇ କ୍ରାଇମବ୍ରାଞ୍ଚ ଧମକପୂର୍ଣ୍ଣ ଭିଡିଓ ଓ ଇ-ମେଲର ତଦନ୍ତ ପାଇଁ ଗୁଗଲକୁ ଚିଠି ଲେଖିଛି। କେଉଁ ଆଇପି ଆଡ୍ରେସରେ ଆସିଥିଲା ଅଡିଓ, ସେବୁର ତଥ୍ୟ ଦେବ ଗୁଗୁଲ। କିଭଳି ଭାବେ ଏଭଳି ମେଲ ଆସିଲା, ଆଉ ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି। ଗୁଗଲର ତଥ୍ୟ ଆସିବା ପରେ, ଚିତ୍ର ସ୍ପଷ୍ଟ ହୋଇଯିବ।
ସେପଟେ ଘଟଣାର ଅଧିକ ତଦନ୍ତ ପାଇଁ ଏନଆଇଏକୁ ମିଳିପାରେ ଦାୟିତ୍ବ। ଆସିଥିବା ଭିଡିଓ ଅଡିଓ ବିଦେଶରୁ ଆସୁଥିବା ଡୋମେନରୁ ସ୍ପଷ୍ଟ ହୋଇଛି। ତେବେ କେଉଁ ଦେଶରୁ ଆସିଛି, ତାହା ସ୍ପଷ୍ଟ ହୋଇନାହିଁ। ଯେହେତୁ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ସହ ଜଡ଼ିତ, ତେଣୁ ଏନଆଇଏ ପୂରା ଘଟଣାର ତଦନ୍ତ କରିପାରେ। ୨୦୨୦ରେ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରିସାରିଛନ୍ତି ଭାରତ ସରକାର। ବର୍ତ୍ତମାନ ସେ କାନାଡ଼ାର ନାଗରିକ ଥିବାରୁ, ତାକୁ ଧରିବାକୁ ଏନଆଇଏର ସହାୟତା ଲୋଡ଼ାଯିବ ବୋଲି କୁହାଯାଉଛି।
ବଡ଼ କଥା ହେଉଛି, ପନ୍ନୁର ବାରମ୍ବାର ଧମକପୂର୍ଣ୍ଣ ଭିଡିଓ ଓ ଇ-ମେଲର କୌଣସି ପ୍ରଭାବ ସମ୍ମିଳନୀ ଉପରେ ପଡ଼ିନାହିଁ। ବରଂ ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା ଭିତରେ ସଫଳତାର ସହ ଶେଷ ହୋଇଛି ଡିଜିପି ସମ୍ମିଳନୀ।