କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି ଯାଜପୁର ଜିଲ୍ଲାର ପ୍ରମୁଖ ସ୍ଥଳୀ ପାଣିକୋଇଲି ଛକ । ମଣିଷକୁ ମାରିବା ପାଇଁ ଯେମିତି ଏହି ଛକ ଅନେଇ ବସିଛି । ପ୍ରତେକ ଦିନ ଏହି ଛକରୁ ହଜାର ହଜାର ଗାଡ଼ି ଯାତୟାକ କରୁଛି । ମାତ୍ର ଏହି ଛକରେ ଗୋଟିଏ ଟ୍ରାଫିକ ପୋଷ୍ଟ କି ଟ୍ରାଫିକ ପୋଲିସ ନଥିବାରୁ ଗାଡ଼ି ଗୁଡ଼ିକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ଫଳରେ ଦୁର୍ଘଟଣାରେ ଅନେକଙ୍କ ଜୀବନ ଚାଲିଯାଉଥିବା ଆସିଛି ଅଭିଯୋଗ ।
ଯାଜପୁର ଜିଲ୍ଲାର ପାଣିକୋଇଲି ଛକ । ଏହାକୁ ସଂଯୋଗ କରିଯାଇଛି ୧୬ ଓ ୨୦ ନମ୍ବର ଜାତୀୟ ରାଜପଥ । ଏହି ଛକ ଦେଇ ଦିନରାତି ଭାରୀଯାନ ଓ ବସ୍ ଚଳାଚଳ କରିଥାଏ। ହେଲେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଠାରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନି। ଗୋଟିଏ ବି ଟ୍ରାଫିକ ପୋଷ୍ଟ ନାହିଁ କି ଟ୍ରାଫିକ୍ ପୁଲିସ୍ ରହୁନାହାନ୍ତି । ଫଳରେ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଉଛି । ଗତ ୧୦ ବର୍ଷରେ ସରକାରୀ ଭାବେ ଦୁର୍ଘଟଣାରେ ୧୯୬ ଜଣଙ୍କ ମୃତ୍ୟୁ ହୋଇଛି । ବେସରକାରୀ ଭାବେ ଏହି ସଂଖ୍ୟା ୩୭୫ ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।
କେଉଁବର୍ଷ ଯାଇଛି କେତେ ଜୀବନ...
ବର୍ଷ ସରକାରୀ ବେସରକାରୀ
୨୦୧୫ ୧୮ ଜଣ ୪୮ ଜଣ
୨୦୧୬ ୧୮ ଜଣ ୩୦ ଜଣ
୨୦୧୭ ୨୧ ଜଣ ୩୮ ଜଣ
୨୦୧୮ ୧୮ ଜଣ ୩୪ ଜଣ
୨୦୧୯ ୧୨ ଜଣ ୨୦ ଜଣ
---
କେଉଁବର୍ଷ ଯାଇଛି କେତେ ଜୀବନ...
ବର୍ଷ ସରକାରୀ ବେସରକାରୀ
୨୦୨୦ ୨୦ ଜଣ ୩୨ ଜଣ
୨୦୨୧ ୨୩ ଜଣ ୪୨ ଜଣ
୨୦୨୨ ୨୦ ଜଣ ୩୫ ଜଣ
୨୦୨୩ ୨୬ ଜଣ ୪୮ ଜଣ
୨୦୨୪ ୨୦ ଜଣ ୪୮ ଜଣ
୧୦ ବର୍ଷ ମଧ୍ୟରେ ଏଭଳି ମୃତ୍ୟୁସଂଖ୍ୟାକୁ ନେଇ ଚିନ୍ତାରେ ବୁଦ୍ଧିଜୀବୀ।
କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱରକୁ ୫ଟି ସ୍ଥାନର ସଙ୍ଗମସ୍ଥଳୀ ପାଣିକୋଇଲି ଛକ । ହେଲେ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ଏଠାରେ ଟ୍ରାଫିକ୍ ପୋଷ୍ଟ କରିବାକୁ ଯେମିତି ଉଚିତ୍ ମଣୁନାହିଁ ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଯାଜପୁର ଏସ୍ପି । ବ୍ୟସ୍ତ ବହୁଳ ଏହି ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥା ନିହାତି ଜରୁରୀ ।