କନକ ବ୍ୟୁରୋ: ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ପୁଣି ବାର୍ଡ ଫ୍ଲୁ ବ୍ୟାପିଥିବା ରକ୍ତ ନମୁନା ରିପୋର୍ଟ ଆସିବା ପରେ କୁକୁଡ଼଼ା ମରା ଅଭିଯାନ ଆରମ୍ଭ ହୋଇଛି । ପ୍ରାୟ ୬ ହଜାର କୁକୁଡ଼ା ମରାଯିବ । ୪ ମାସ ତଳେ ଅଞ୍ଚଳରେ ବାର୍ଡ ଫ୍ଲୁରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ। ଏବେ ଚାଷୀ ପୁଣି ମୁଣ୍ଡରେ ହାତ ଦେଲେଣି ।
ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ପୁଣି ବ୍ୟାପିଛି ବାର୍ଡ ଫ୍ଲୁ । ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାପିଡ୍ ରେସ୍ପନସ ଟିମ୍- ଆରଆରଟି କୁକୁଡ଼ା ମରା ଅଭିଯାନ ଆରମ୍ଭ କରିଛି । ପ୍ରଥ ମେ ବଡ଼ ଅଂକୁଲାର ଏକ କୁକୁଡ଼ା ଫାର୍ମ ରୁ ସଂକ୍ରମତ କୁକୁଡ଼ା ଅଭିଯାନ ଆରମ୍ଭ ହୋଇଛି । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏଠାରେ ୬୦୦୦ କୁକୁଡ଼ା ମରିବାର ଲକ୍ଷ୍ୟ ରଖିଛି ପ୍ରଶାସନ। ବଡ଼ ଆଙ୍କୁଲା, ମୁନିଦା ଓ କୋଠବାଡ଼ ପଞ୍ଚାୟତର ୧୧ଟି ଗାଁରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଦେଇଛି। ବହୁ ସଂଖ୍ୟାରେ କୁକୁଡ଼ା ମରୁଛନ୍ତି। ଅଞ୍ଚଳର ୧୦ କିଲୋମିଟର ପରିଧିରୁ କୁକୁଡ଼ା ରପ୍ତାନୀ ଓ ବିକ୍ରି ଉପରେ ରୋକ୍ ଲଗାଇଛି ପ୍ରଶାସନ ।
ମରା ଯାଉଥିବା କୁକୁଡ଼ାଗୁଡ଼ିକୁ ପୋତା ଯାଉଛି । ଏସ୍ଓପି ଜାରି ସହିତ ସଂକ୍ରମିତ କୁକୁଡ଼ା ଫାର୍ମକୁ ସାନିଟାଇଜ୍ କରାଯିବ । କଲ୍ୟାଣପୁର, ହାଟ ଡେଲାଙ୍ଗ, ପିପିଲି ହାଟ ଛକ, ବେଗୁନିଆ ପଡ଼ାରେ ଚେକ୍ ପୋଷ୍ଟ ପାଇଁ ପୁଲିସକୁ ପ୍ରାଣୀ ଚିକିତ୍ସା ବିଭାଗ ଅନୁରୋଧ କରିଛି । ୪ ମାସ ପୂର୍ବରୁ ଏହି ଅଞ୍ଚଳଳେ ବାର୍ଡ ଫ୍ଲୁ ବ୍ୟାପିଥିଲା । କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ଏଯାଏଁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଏବେ ବାର୍ଡ ଫ୍ଲୁ ବ୍ୟାପିବା ପରେ ପୁଣି ଚାଷୀ ଚିନ୍ତାରେ ପଡ଼ିଛନ୍ତି ।