କନକ ବ୍ୟୁରୋ : କୁଆଡେ ଗଲେ ପାଣ୍ଡିଆନ୍? ବିଜେଡିରେ ଅଛନ୍ତି ନା ନାହାଁନ୍ତି? ଗଣମାଧ୍ୟମ ଆଗକୁ ଆସୁନାହାଁନ୍ତି, ହେଲେ ଦଳରେ ତାଙ୍କର ଭୂମିକା ରହିଛି କି ନାହିଁ ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଆସୁଛି । ବିଜେଡି ନେତା ମନ୍ମଥ ରାଉତରାୟ ନିକଟରେ ଦ୍ବିତୀୟ ବିବାହ କରିଛନ୍ତି । ଆଉ ନିଜ ପତ୍ନୀଙ୍କୁ ନେଇ ସେ ଭି.କେ ପାଣ୍ଡିଆନ୍ଙ୍କୁ ଭେଟିଛନ୍ତି । ଏ ହେଉଛି ସେହି ସମୟର ଫଟୋ । ମନ୍ମଥ ରାଉତରାୟଙ୍କୁ ସାକ୍ଷାତ୍ କରିଛନ୍ତି ପାଣ୍ଡିଆନ୍।
ଏହି ଫଟୋ ଦେଖି ସ୍ପଷ୍ଟ ଅନୁମାନ କରାଯାଇ ପାରୁଛି ଯେ, ଦଳରେ ଏବେ ବି ରହିଛି ପାଣ୍ଡିଆନ୍ଙ୍କ ଗୁରୁତ୍ବ । ଏବେ ବି ପାଣ୍ଡିଆନ୍ ଆଗଭଳି ନିଜ ପାର୍ଟି ନେତା, କର୍ମୀଙ୍କୁ ସାକ୍ଷାତ୍ କରୁଛନ୍ତି । ଦଳର ଭଲ ମନ୍ଦ ବୁଝୁଛନ୍ତି । ଏ ଫଟୋ ହେଉଛି ତାହାର ପ୍ରମାଣ । ମାସକ ତଳେ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ମନ୍ମଥ କହିଥିଲେ, ଦଳରେ ସକ୍ରିୟ ନଥିଲେ ବି ନବୀନ ନିବାସ ଯାଉଛନ୍ତି ପାଣ୍ଡିଆନ୍ ।
ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବୁଝୁଛନ୍ତି । ହେଲେ ଏବେ ସେ ଦଳୀୟ କର୍ମୀଙ୍କୁ ସାକ୍ଷାତ୍ କରୁଥିବାର ପ୍ରମାଣ ହେଉଛି ଏହି ଫଟୋ । ନିର୍ବାଚନରେ ବିଜେଡି ହାରିବା ପରେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଥିଲେ ପାଣ୍ଡିଆନ୍। ଆଉ ଏଥିପାଇଁ କୌଣସି ଦଳୀୟ କାର୍ଯ୍ୟକ୍ରମ ହେଉ କି, ଦଳର କୌଣସି ନିଷ୍ପତ୍ତିରେ ପାଣ୍ଡିଆନ୍ଙ୍କ କୌଣସି ଭୂମିକା ଥିବା ପରିଲକ୍ଷିତ ହୁଏ ନାହିଁ । ମାତ୍ର ଆଗ ଭଳି ନେତାଙ୍କୁ ଭେଟିବାର ଶୈଳୀ, ଦଳରେ ପାଣ୍ଡିଆନ୍ଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।