କନକ ବ୍ୟୁରୋ: ମହାମାରୀ ସମୟରେ ବିଶ୍ୱବ୍ୟାପୀ ମାସ୍କ ବ୍ୟବହାର ମାସିକ ପ୍ରାୟ ୧୨,୯୦୦ କୋଟିରେ ପହଞ୍ଚିଥିଲା । ସଂକ୍ରମଣର ପ୍ରସାରକୁ ରୋକିବାରେ ମାସ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ମାସ୍କ ବର୍ଜ୍ୟ ପରିଚାଳନା ନେଇ କୌଣସି ଦୃଢ଼ ବ୍ୟବସ୍ଥା ନଥିଲା । ଏବେ  ଲକ୍ଷ ଲକ୍ଷ ମାସ୍କ ପାର୍କ, ନଦୀ, ସମୁଦ୍ର କୂଳ ଓ ଗ୍ରାମୀଣ ପରିବେଶରେ ପ୍ରବେଶ କରି ଶେଷରେ ଅଣୁପ୍ଳାଷ୍ଟିକ୍‌ରେ ପରିଣତ ହୋଇ ବିଷାକ୍ତ ପଦାର୍ଥ ନିର୍ଗମନ କରୁଛି । ୟୁନାଇଟେଡ୍‌ କିଙ୍ଗଡମ୍‌ର କଭେଣ୍ଟ୍ରି ବିଶ୍ୱବିଦ୍ୟାଳୟର କୃଷି ପରିବେଶ ବିଜ୍ଞାନ, ଜଳ ଓ ସ୍ଥିରତା କେନ୍ଦ୍ରର ଗବେଷକମାନେ ବିଭିନ୍ନ ମାସ୍କକୁ ୨୪ ଘଣ୍ଟା ପାଇଁ ବିଶୁଦ୍ଧ ପାଣିରେ ବୁଡ଼ାଇ ପରୀକ୍ଷା କରିଥିଲେ ।

Advertisment

ଏବେ ଚିନ୍ତାଶୀଳ ଭାବରେ ମାସ୍କ ଉତ୍ପାଦନ, ବ୍ୟବହାର ଓ ନଷ୍ଟ କରିବାକୁ ପଡ଼ିବ। ଏଥି ସହିତ ଆମକୁ ବିକଳ୍ପ ଖୋଜିବାକୁ ପଡ଼ିବ ଯାହା ପରିବେଶ ପାଇଁ ସୁରକ୍ଷିତ ଏବଂ ପୁନଃଚକ୍ରିତ ହୋଇପାରିବ ବୋଲି ଗବେଷକମାନେ ଗୁରୁତ୍ୱାରୋପ କରିଛନ୍ତି ।

କରୋନା ଭୂତାଣୁ ବିରୋଧରେ ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଥିବା ଏଫ୍‌ଏଫ୍‌ପି୨ ଓ ଏଫ୍‌ଏଫ୍‌ପି୩ ପରି ଉଚ୍ଚ ଗ୍ରେଡ୍‌ର ମାସ୍କଗୁଡ଼ିକ ଅନ୍ୟ ତୁଳନାରେ ୪ରୁ ୬ ଗୁଣ ଅଧିକ ଅଣୁପ୍ଲାଷ୍ଟିକ୍ ନିର୍ଗତ କରୁଥିବା ଲକ୍ଷ୍ୟ କରାଯାଇଛି । ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ଏହି କଣିକାଗୁଡ଼ିକର ଆକାର ୧୦ ମାଇକ୍ରୋମିଟରରୁ ୨,୦୮୨ ମାଇକ୍ରୋମିଟର ପର୍ଯ୍ୟନ୍ତ ଥିଲା, ଯେଉଁଥିରେ ୧୦୦ ମାଇକ୍ରୋମିଟରରୁ କମ୍ ଛୋଟ କଣିକା ସର୍ବାଧିକ ମିଳିଥିଲା । ଏପରି କଣିକା ବିଶେଷ ଭାବରେ ମାନବ ଶରୀର, ପର୍ଯ୍ୟାବରଣ ପ୍ରଣାଳୀରେ ଅନୁପ୍ରବେଶ କରି ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଜଟିଳତା ସୃଷ୍ଟି କରିପାରିବେ ।

ଅନ୍ୟ ଏକ ଚିନ୍ତାଜନକ ଆବିଷ୍କାର ହେଉଛି ସେଗୁଡ଼ିକରୁ ‘ବିସ୍ଫେନୋଲ୍ ବି’ ନିର୍ଗମନ ହେବା । ‘ବିସ୍ଫେନାଲ ବି’ ହେଉଛି ଏପରି ଏକ ରାସାୟନିକ ପଦାର୍ଥ ଯାହା ଇଷ୍ଟ୍ରୋଜେନ୍ ଅନୁକରଣ କରି ଅନ୍ତଃସ୍ରାବୀ ପ୍ରଣାଳୀକୁ ବିପର୍ଯ୍ୟସ୍ତ କରିଥାଏ । ଏହି ପଦାର୍ଥ ଉଭୟ ମଣିଷ ଓ ପ୍ରାଣୀଙ୍କଠାରେ କର୍କଟ ଓ ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ସହିତ ଜଡ଼ିତ । ମହାମାରୀ ସମୟରେ ପରିତ୍ୟକ୍ତ ମାସ୍କ ମାଧ୍ୟମରେ ୧୨୮ରୁ ୨୧୪ କିଲୋଗ୍ରାମ ବିସ୍ଫେନୋଲ୍ ବି ପରିବେଶରେ ମିଶିଥିବା ଆକଳନ କରାଯାଇଛି । ଏଣୁ ଏବେ ଆମକୁ ଚିନ୍ତାଶୀଳ ଭାବରେ ମାସ୍କ ଉତ୍ପାଦନ, ବ୍ୟବହାର ଓ ନଷ୍ଟ କରିବାକୁ ପଡ଼ିବ । ଏଥି ସହିତ ଆମକୁ ଏପରି ବିକଳ୍ପ ଖୋଜିବାକୁ ପଡ଼ିବ, ଯାହା ପରିବେଶ ପାଇଁ ସୁରକ୍ଷିତ ଏବଂ ପୁନଃଚକ୍ରିତ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି  ।