କନକ ବ୍ୟୁରୋ : ଭାରତବର୍ଷର ପ୍ରକୃତ ଆତ୍ମା ରହିଛି ଗାଁରେ । ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ମହାତ୍ମାଗାନ୍ଧୀଙ୍କ ଗ୍ରାମସ୍ୱରାଜର ସ୍ପପ୍ନ ଆଗକୁ ବଢ଼ି ପଞ୍ଚାୟତିରାଜ ବ୍ୟବସ୍ଥାରେ ରୂପାନ୍ତର ହୋଇଛି । ଏହାର ଆଉ ଏକ ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ଗାଁ ଲୋକଙ୍କୁ କ୍ଷମତା ଦେବା । ହେଲେ କେତେ କ୍ଷମତା ପାଇଛନ୍ତି ତୃଣମୂଳ ନେତା ? ଆଜି ପଞ୍ଚାୟତିରାଜ ଦିବସକୁ ନେଇ ଯେତେବେଳେ ବିତର୍କ ଚାଲିଛି, ସେତେବେଳେ ନଜର ପକାଇବା ଓଡ଼ିଶାରେ କେତେ ସଫଳ ହୋଇଛି ପଞ୍ଚାୟତ ବ୍ୟବସ୍ଥା ।

Advertisment

ପଞ୍ଚାୟତକୁ ସଶକ୍ତ କରିବାକୁ, ପଞ୍ଚାୟତସ୍ତରରେ ଅଧିକାରୀଙ୍କୁ ଅଧିକ କ୍ଷମତା ପଞ୍ଚାୟତିରାଜ ବ୍ୟବସ୍ଥାର ସବୁଠୁ ବଡ଼ ଲକ୍ଷ୍ୟ । ୧୯୯୨ କେନ୍ଦ୍ରୀୟ ଆଇନ ଆଧାରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ ହୋଇଥିଲା । ଏହାପୂର୍ବରୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କ୍ଷମତା ଵିକେନ୍ଦ୍ରୀକରଣ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ପରେ ୭୩ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ପଞ୍ଚାୟତିରାଜ ବ୍ୟବସ୍ଥାକୁ କ୍ଷମତା ବିକେନ୍ଦ୍ରୀକରଣ ତଥା ସାମ୍ବିଧାନିକ କ୍ଷମତା ପ୍ରଦାନ ନିଷ୍ପତ୍ତି ହୋଇଥିଲା ।

ଆହୁରି ସରଳ ଭାବେ କହିଲେ, ୨୯ଟି ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ହେଲା । ଅଥଚ ଏଥିରୁ ଅଧା କାଗଜପତ୍ରରେ । ସେହିଭଳି ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ କ୍ଷମତା ବଳରେ ୧୯୯୬ରେ ହେଲା ପେସା ଆଇନ । ଆଦିବାସୀ ଅଧ୍ୟୁଷିତଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆଇନ ଓଡ଼ିଶାରେ ଲାଗୁ ହୋଇପାରୁନି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ବିଧାୟକ ଓ ସାଂସଦ କୈନ୍ଦ୍ରିକ ଶାସନ ଓ ମାତ୍ରାଧିକ ଅମଲାତାନ୍ତ୍ରିକ ନିୟନ୍ତ୍ରଣ ଯୋଗୁଁ ଦିଗହରା ପଞ୍ଚାୟତିରାଜ ବ୍ୟବସ୍ଥା । ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ବା ସଭାପତିଙ୍କ ଦବ୍‌ଦବା ନାହିଁ ।

- ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ନିର୍ବାଚନରେ ଅଟକିଛି
- ମହିଳା ପ୍ରତିନିଧିଙ୍କ ସ୍ଥାନରେ ଅନେକ ଜାଗାରେ ସ୍ବାମୀ କରୁଛନ୍ତି ଶାସନ 
- କୋର୍ଟଙ୍କ ବାରଣ ଓ ରାଜ୍ୟ ସରକାରଙ୍କ କଟକଣା କାମଦେଉନି
- ସେପଟେ ପଞ୍ଚାୟତ ସମ୍ପତ୍ତି ତାଲିକାର ହିସାବ କାହାରି ପାଖରେ ନାହିଁ
- ସୃଷ୍ଟି ହେଉଥିବା ସମ୍ପତ୍ତିରୁ ଅଧିକାଂଶ କାମରେ ଲାଗୁନି

ଫଳରେ ଯେଉଁ ଉଦ୍ଦେଶ୍ୟ ରଖି ପଞ୍ଚାୟତିରାଜ ବ୍ୟବସ୍ଥାର ଗଠନ ହୋଇଥିଲା, ତାହା କେବଳ ଫାଇଲ୍‌ ଭିତରେ ହିଁ ରହିଯାଇଛି । ପଞ୍ଚାୟତିରାଜ ଦିବସ କେବେ ପାଳନ ହେବ, ସେ ନେଇ ରାଜନୈତିକ ଦଳ ଓ ସରକାରଙ୍କ ଭିତରେ ଯେତିକି ଉତ୍କଣ୍ଠା, ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନକୁ ସାକାର ଦିଗରେ ସେତିକି ମନୋନିବେଶ ହେଲେ, ଓଡ଼ିଶାର ଅସଲ ବିକାଶ ହେବା ବିଳମ୍ବ ହେବ ନାହିଁ ।