କନକ ବ୍ୟୁରୋ: ଦୀର୍ଘ ୨୪ ବର୍ଷ ଧରି ତତ୍କାଳୀନ ବିଜେଡି ସରକାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀଙ୍କୁ ପଂଚାୟତିରାଜ ଦିବସ ଭାବେ ପାଳନ କରୁଥିଲେ । ପଞ୍ଚାୟତସ୍ତରରୁ ରାଜ୍ୟସ୍ତରୀୟ ପର୍ୟ୍ୟନ୍ତ ଖୁବ ଧୂମଧାମରେ ପାଳନ କରାଯାଉଥିଲା । ହେଲେ ଏଥର କିଛି ବ୍ୟତିକ୍ରମ ଦେଖାଦେଇପାରେ । କାରଣ ଏଥର ମାର୍ଚ୍ଚ ୫କୁ ନେଇ ଦ୍ୱନ୍ଦ୍ବରେ ରାଜ୍ୟ ସରକାର । ବିଜୁ ଜୟନ୍ତୀ ଉପଲକ୍ଷେ ପଞ୍ଚାୟତିରାଜ ଦିବସ ପାଳନ କରିବେ ନା ନାହିଁ ? ମିଳିଥିବା ସୂଚନା ଅନୁସାରେ ପଞ୍ଚାୟତିରାଜ ବିଭାଗ ଏଯାଏଁ କୌଣସି ପ୍ରକ୍ରିୟା ଆରମ୍ଭ କରିନାହାନ୍ତି । ଏଥିପାଇଁ କୌଣସି ଚିଠି ବିଭାଗ ପକ୍ଷରୁ ଲେଖାଯାଇନଥିବା ଜଣାପଡ଼ିଛି । ପଞ୍ଚାୟତିରାଜ ଦିବସ ପାଳନ ପାଇଁ ହାତରେ ମାତ୍ର ଆଉ ୭ ଦିନ ରହିଛି । ଜଣେ ସରକାରୀ ଅଧିକାରୀ କହିଛନ୍ତି ଉପର ସ୍ତରରୁ କୌଣସି କ୍ଲିୟରାନ୍ସ ମିଳିନି । ତେଣୁ ସ୍ପଷ୍ଟ ଜଣା ପଡୁଛି ଏଥର ଫିକା ପଡିପାରେ ପଞ୍ଚାୟତିରାଜ ଦିବସ ।
ପ୍ରଶାସନିକ ମହଲରେ ଆଉ ଏକ ଚର୍ଚ୍ଚା ହେଉଛି, ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ରହିଛି । ସେହି ଦିନରେ ପଞ୍ଚାୟତିରାଜ ଦିବସ ପାଳନ କରିପାରନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟ ସ୍ତରୀୟ ଉତ୍ସବ ପାଳନ ହେବ କି ନାହିଁ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଚ କରାଯାଇନି । ସେପଟେ ପଞ୍ଚାୟତିରାଜ ଦିବସକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।
ବିଜୁ ପଟ୍ଟନାୟକ ମଖ୍ୟମନ୍ତ୍ରୀ ଥିବା ସମୟରୁ ପଞ୍ଚାୟତିରାଜ ଦିବସ ପାଳନ ହୋଇ ଆସୁଥିଲା । କିନ୍ତୁ ୧୯୯୫ରେ କଂଗ୍ରେସ ସରକାରକୁ ଆସିବା ପରେ ପଂଚାୟତିରାଜ ଦିବସକୁ ପାଳନ କରିନଥିଲେ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ବିଜୁ ଜୟନ୍ତୀଙ୍କୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା ।