କନକ ବ୍ୟୁରୋ: ସବୁ ସିଜିନ୍‌ ଭଳି ପଞ୍ଚାୟତ ସିଜିନ୍‌-୪କୁ ମଧ୍ୟ ଅହେତୁକ ଭଲ ପାଇବା ଦେଇଛନ୍ତି ଦର୍ଶକ । କ୍ଲାଇମାକ୍ସକୁ ସିନ୍‌ ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହାପରେ ଦର୍ଶକଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ଆସିବ ପଞ୍ଚାୟତ ସିଜିନ୍‌-୫ । ଏବେ ଆଗାମୀ ସିଜିନ୍‌କୁ ନେଇ ୱେବ୍‌ ସିରିଜ୍‌ର ଲେଖକ ଓ ଅଭିନେତ୍ରୀ ବଡ଼ ବୟାନ ଦେଇଛନ୍ତି । ସମ୍ବାଦ ସରବରାହ ସଂସ୍ଥା IANS ସହ କଥା ହେବା ବେଳେ ୱେବ୍‌ ସିରିଜ୍‌ର ଅଭିନେତ୍ରୀ ନିନା ଗୁପ୍ତା କହିଛନ୍ତି ସିଜିନ୍‌-୫ର କାହାଣୀ ଲିକ୍‌ ହୋଇ ସାରିଛି । 

Advertisment

ଏହି କ୍ରମରେ ପଞ୍ଚାୟତ-୫ର ଲେଖକ ଚନ୍ଦନ କୁମାରଙ୍କୁ କେତେକ ପ୍ରଶ୍ନ କରାଯାଇଥିଲା । ପ୍ରଧାନଜିଙ୍କୁ କିଏ ଗୁଳି କଲା ?  ସଚିବଜିଙ୍କୁ ଏମ୍‌ବିଏରେ ସିଟ୍‌ ମିଳିବ ନା ନାହିଁ ? ରିଙ୍କି ଓ ସଚିବଜିଙ୍କ ପ୍ରେମ କାହାଣୀ ଆଉ ଆଗକୁ ବଢ଼ିବ ନା ନାହିଁ ? ଏମିତି ଅନେକ ପ୍ରଶ୍ନ ଏବେ ଦର୍ଶକଙ୍କ ମନରେ ଉଙ୍କି ମାରୁଛି । ଏହାକୁ ନେଇ ଚନ୍ଦନ କହିଛନ୍ତି ଯେ, ସବୁ ପ୍ରଶ୍ନର ଉତ୍ତର ସିଜିନ୍‌-୫ରେ ମିଳିବ । ଆଗାମୀ ସିଜିନ୍‌ ଆହୁରି ମଜାଦାର ହେବ । ଦର୍ଶକଙ୍କୁ ଏହି ସିଜିନ୍‌ରେ ଅନେକ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିବ ବୋଲି କହିଛନ୍ତି ଚନ୍ଦନ କୁମାର ।

ସେପଟେ ମଞ୍ଜୁ ଦେବୀ ଚରିତ୍ରରେ ଅଭିନୟ କରୁଥିବା ନିନା ଗୁପ୍ତା କହିଛନ୍ତି, ପଞ୍ଚାୟତ ସିଜିନ୍‌-୫ର କାହାଣୀ ପୂର୍ବରୁ ଲିକ୍‌ ହୋଇ ସାରିଛି । ଆଗାମୀ ସିଜିନ୍‌ ଦେଖିବାକୁ ଦର୍ଶକମାନେ ପ୍ରସ୍ତୁତ ହୋଇ ରହିଥାଆନ୍ତୁ । ନିନା ଗୁପ୍ତା ଚନ୍ଦନ କୁମାର ଦେଇଥିବା ବୟାନକୁ ନେଇ ପ୍ରତିକ୍ରିୟା ଦେଇ ଏଭଳି କହିଥିଲେ । ସିଜିନ୍‌-୩ ରିଲିଜ୍‌ ହେବା ପୂର୍ବରୁ ସିଜିନ-୪ର କାହାଣୀ ଶେଷ ହୋଇ ସାରିଥିଲା । ତେଣୁ ଆକଳନ କରାଯାଉଛି ସିଜିନ-୫ର କାହାଣୀ ମଧ୍ୟ ଲେଖା ସରିଛି । 

ପଞ୍ଚାୟତ ସିଜିନ-୪ ଗତ ଜୁନ୍‌ ୨୪ ତାରିଖରେ ରିଲିଜ୍‌ ହୋଇଥିଲା । ଏଥର ମଧ୍ୟ ସମସ୍ତ ଚରିତ୍ରକୁ ପସନ୍ଦ କରିଛନ୍ତି ଦର୍ଶକ । ଏଥର ୱେବ୍‌ ସିରିଜ୍‌ରେ ଦର୍ଶକଙ୍କୁ ଫୁଲେରା ଗାଁରେ ରାଜନୀତିକ ମାହୋଲ ଦେଖିବାକୁ ମିଳିଥିଲା । ଦଳୀୟ ପ୍ରଚାର, ଭୋଟ, ସରପଞ୍ଚ ପଦବୀ ରେସ୍‌ ଭିତରେ ଦର୍ଶକଙ୍କୁ ସଚିବଜି ଓ ରିଙ୍କି ମଧ୍ୟରେ ଗଢ଼ି ଉଠିଥିବା ମିଠା ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ମିଳିଛି । ଓଟିଟିରେ ଏହି ୱେବ୍‌ ସିରିଜ୍ ଏବେ ଟ୍ରେଣ୍ଡିଂରେ ରହିଛି । ଏବେ ଦର୍ଶକଙ୍କ ପ୍ରଶ୍ନ କେବେ ରିଲିଜ୍‌ ହେବ ପଞ୍ଚାୟତ ସିଜିନ୍‌-୫ ?