କନକ ବ୍ୟୁରୋ : ରଣକ୍ଷେତ୍ର ପାଲଟିଲା ପଞ୍ଚାୟତ ସମିତି ବୈଠକ । ଭୋଗରାଇ ପଞ୍ଚାୟତ ସମିତି ବୈଠକରେ ଆୟୁଷ୍ମାନ କାର୍ଡ ବିତରଣ ପ୍ରସଙ୍ଗରେ ଜୋରଦାର ହଙ୍ଗାମା । ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ପଞ୍ଚାୟତ ପ୍ରତିନିଧିଙ୍କ ଭିତରେ ଜୋରଦାର ହୋହଲ୍ଲା ଓ ହଟ୍ଟଗୋଳ ହୋଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଆଜି ପଞ୍ଚାୟତ ସମିତି ବୈଠକ ବସିଥିଲା । ଏହି ବୈଠକରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ବିଡିଓ, ଅତିରିକ୍ତ ତହସିଲଦାର ଉପସ୍ଥିତ ଥିଲେ । ଏଜେଣ୍ଡା ଅନୁସାରେ, ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରାଯାଉଥିଲା । ୩୨ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ କବିତା ମହାନ୍ତି ଆୟୁଷ୍ମାନ କାର୍ଡ ବିତରଣରେ ଖର୍ଚ୍ଚର ହିସାବ ଗୃହକୁ ମାଗିଥିଲେ । ଏହାକୁ ନେଇ ପରବର୍ତ୍ତୀ ସମୟରେ ମହେଶପୁର ସରପଞ୍ଚ ବରେନ୍ଦ୍ର ପାତ୍ର ପୂର୍ବ ସରକାର ସମୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବିତରଣ ଖର୍ଚ୍ଚର ହିସାବ କଥା ଉଠାଇଥିଲେ। ଏଥିରେ କିଛି ସରପଞ୍ଚ ଓ ସମିତି ସଭ୍ୟ ବିରୋଧ କରିଥିଲେ ଏହା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ମହାଭାରତ । ଦୀର୍ଘ ସମୟ ଧରି ଉଭୟଙ୍କ ଭିତରେ ଯୁକ୍ତିତର୍କ ଚାଲିବା ପରେ ଶେଷରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମାଇକ୍ରୋଫୋନ୍ ଧରି ଉଠିବା ପରେ ଘଟଣା ଶାନ୍ତ ପଡ଼ିଥିଲା ।